Odisha Link
Bridging the Missing Links in Odisha

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ କୃଷି ମନ୍ତ୍ରୀ

ଚାଷକାର୍ଯ୍ୟ ନିମନ୍ତେ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଗୁଣବତ୍ତା ବଜାୟ ରଖିବା ଆବଶ୍ୟକ।

ଓଏଲ୍‌ ବ୍ୟୁରୋ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ନୂତନ ଆପ୍‌ରେ ପୂର୍ବଧାରା ଅନୁସାରେ ଗୋଟିଏ ଗ୍ରୀଡ଼୍‌ର ନମୁନାରେ ଏକାଧିକ କୃଷକଙ୍କୁ ପଞ୍ଜୀକରଣ କରିବାର ସୁବିଧା ଯୋଗାଇଦେବା ପାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମଣିଷ ବଞ୍ଚିବା ପାଇଁ ଯେପରି ଉତ୍ତମ ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ ଆବଶ୍ୟକ, ସେହିପରି ଚାଷକାର୍ଯ୍ୟ ନିମନ୍ତେ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଗୁଣବତ୍ତା ବଜାୟ ରଖିବା ଆବଶ୍ୟକ।

ରାଜ୍ୟର ଚାଷୀମାନଙ୍କୁ ଚାଷଜମିର ମୃତ୍ତିକା ସଂଗ୍ରହ, ପରୀକ୍ଷଣ ଓ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ସୁବିଧାରେ ଓ ସମୟ ମୁତାବକ ଯୋଗାଇଦେବା ନିମନ୍ତେ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳନ ହୋଇଛି ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପୋର୍ଟାଲ। ନବୀକୃତ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପୋର୍ଟାଲର ମୃତ୍ତିକା ନମୁନା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।