ସୌରିନ ଭଟ୍ଟଙ୍କୁ ଖୋଜୁଛି ଓଡ଼ିଶା ପୁଲିସ, କଲିକତା ସ୍ଥିତ ବାସଭବନରେ ନାହାନ୍ତି କଣ୍ଠଶିଳ୍ପୀ
ବାସଭବନରେ ତାଙ୍କୁ ପୁଲିସ ପାଇନଥିବା ଖବର ସାମ୍ନାକୁ ଆସିଛି

ଓଏଲ୍ ବ୍ୟୁରୋ: ଅଡ଼ୁଆରେ ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଯୌନ ଶୋଷଣ ମାମଲା ଅଭିଯୋଗ ଆଣିଛନ୍ତି ଯୁବତୀ। ଗତକାଲି ଏହି ମାମଲାରେ କୋଲକାତା ଯାଇଥିଲା ପୁଲିସ ଟିମ୍। କମିଶନରେଟ୍ ପୁଲିସର ଗୋଟିଏ ଟିମ୍ କୋଲକାତା ଯାଇଥିଲା। ସୌରିନ ଭଟ୍ଟଙ୍କୁ ଠାବ ପାଇଁ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯାଇଥିଲା ପୁଲିସ। ହେଲେ ତାଙ୍କ ବାସଭବନରେ ତାଙ୍କୁ ପୁଲିସ ପାଇନଥିବା ଖବର ସାମ୍ନାକୁ ଆସିଛି। ଥାନାରେ ମାମଲା ରୁଜୁ ପରଠୁ ସୌରିନଙ୍କୁ ପାଉନି ପୁଲିସ।
ବଲିଉଡର ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ସଙ୍ଗୀନ ମାମଲା ହୋଇଛି। କଟକର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ, ଧମକଚମକ ଓ ଟଙ୍କା ଠକେଇ ଅଭିଯୋଗରେ କଟକ ମହିଳା ଥାନାରେ ଏତଲା ପରେ ବଢ଼ିଛି ସୌରୀନଙ୍କ ଅଡୁଆ। ସୌରିନଙ୍କ ନାମରେ ଆଇପିସିର ୩୭୬ ,୪୯୩, ୩୪୧ ,୫୦୬ ,୪୧୭ ଦଫା ଲାଗିଛି। ତେଣୁ ତାଙ୍କୁ ଗିରଫ ମଧ୍ୟ କରାଯାଇ ପାରେ ବୋଲି କହିଛନ୍ତି ଜୋନ୍ ୨ ଏ.ସି.ପି ଅମିତାଭ ମହାପାତ୍ର।