ମହାରାଷ୍ଟ୍ର ରାଜନୀତିରେ ମହା ଟ୍ବିଷ୍ଟ; ଉପ ମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ଓଏଲ୍ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନରେ ବର୍ତ୍ତମାନର ମୋଦି ସରକାରକୁ ଗାଦିରୁ ହଟାଇବା ପାଇଁ ୧୫ରୁ ଅଧିନ ବିରୋଧୀ ଦଳ ମେଳି କରି ବିଜେପି ସରକାରକୁ ଟକ୍କର ଦେବା ପାଇଁ କରୁଛନ୍ତି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ମହା ଟ୍ବିଷ୍ଟ। ଭେଟରାନ ରାଜନେତା ଶରଦ ପାଓ୍ବାରଙ୍କ ଏନସିପି ମହାରାଷ୍ଟ୍ରରେ ଦୁଇ ଫାଳ ହୋଇ ଯାଇଛି।
ଶରଦ ପାୱାରଙ୍କ ସମେତ କିଛି ନେତା ଓ ବିଧାୟକ ଏବେ ବି ଉଦ୍ଧବ ଠାକରେ ଓ କଂଗ୍ରେସ ସହ ରହିଛନ୍ତି। କିନ୍ତୁ ଅଜିତ ପାୱାର ଓ ପ୍ରାୟ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି।
ସମର୍ଥନ ଦେବା ମାତ୍ରେ ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ସେହିଠାରେ ହିଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।