Odisha Link
Bridging the Missing Links in Odisha

ଚର୍ଚ୍ଚାରେ ସରପଞ୍ଚଙ୍କ ଦଳ ଡିଆଁ ଓ ଘର ବାହୁଡ଼ା 

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ଯାହାକୁ ନଜରରେ ରଖି ଏବେଠୁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଲେଣି ଅଙ୍କକଷା। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ନୟାଗଡ଼ ବିଧାନସଭା ଆସନରେ ଏବେଠୁ ଚର୍ଚ୍ଚାର ପରିସରରେ ରହିଲାଣି। କାରଣ ନିର୍ବାଚନ ଯେତେ ପାଖଉଛି ନୟାଗଡ଼ ରାଜନୀତି ସେତେ ଉଷ୍ମ ହେବାରେ ଲାଗିଛି। ସବୁଠୁ ଅଧିକ ଚର୍ଚ୍ଚା ଏବେ ମିଶ୍ରଣ ପର୍ବକୁ ନେଇ।

ନୟାଗଡ଼ ରାଜନୀତିରେ ଜଣେ ସରପଞ୍ଚକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି। ବିଜେପି ସରପଞ୍ଚ ସକାଳେ ବିଜେଡିରେ ମିଶିବା ପରେ ସନ୍ଧ୍ୟାରେ ପୁଣି ବିଜେପି ଶିବିରକୁ ଫେରିବା ଘଟଣା ନୟାଗଡ଼ରେ ଚର୍ଚ୍ଚା ସୃଷ୍ଟି କରିଛି। ସୂଚନାଥାଉକି, ନୟାଗଡ଼ ସହର ସିନ୍ଦୁରିଆ ସରପଂଚ ପ୍ରମୋଦ ବେହେରା ଶୁକ୍ରବାର ସକାଳେ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ବାସ ଭବନରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ହେଲେ ସନ୍ଧ୍ୟାରେ ପୁଣି ବିଜେପି ଶିବିରରେ ଯୋଗ ଦେଇଥିଲେ।

ପ୍ରମୋଦ ଏହି ପ୍ରସଙ୍ଗରେ ମୁହଁ ଖୋଲି କହିଛନ୍ତି ଯେ ବିଜେଡିରେ ମିଶିନାହିଁ। ମନ୍ଦିର କାମ ପାଇଁ ବିଧାୟକଙ୍କ ପାଖକୁ ନେଇ ଉତ୍ତରୀୟ ପକାଇ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି ସେ। ବିଜେଡିରେ ସାମିଲ ନହେଲେ ସିନ୍ଦୁରିଆ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରେଇ ଦିଆଯିବ ନାହିଁ ବୋଲି ବିଜେଡି ଧମକ ଦେଇଥିବା ମଧ୍ୟ ସେ କହିଛନ୍ତି। ଅନ୍ୟପଟେ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର ସରପଞ୍ଚଙ୍କ ପ୍ରତିକ୍ରିୟାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ ସରପଞ୍ଚ ଛୋଟ ଛୁଆ ନୁହଁନ୍ତି। ତାଙ୍କ ପରିବାର ହେଉଛନ୍ତି ବିଜେଡି ସମର୍ଥକ। ୨୦୨୨ ପଞ୍ଚାୟନ ନିର୍ବାଚନରେ ସେ ବିଜେପି ନେତ୍ରୀ ଇରାନୀ ରାୟଙ୍କ ସମର୍ଥିତ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

ସେ ଆହୁରି କହିଛନ୍ତି ଯେ ସିନ୍ଦୁରିଆରେ ବିକାଶ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ଶ୍ରୀ ବେହେରା ନିଜ ଆଡ଼ୁ ବିଜେଡିରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଯେଉଁଥିପାଇଁ ତାଙ୍କୁ ବିଧାୟକଙ୍କ ବାସଭବନରେ ଦଳରେ ସାମିଲ କରାଯାଇଥିଲା। ସେଠାରୁ ଫେରିବା ପରେ ବିଜେପିର ଆଉ ଏକ ନିର୍ଦ୍ଦିଷ୍ଠ ଗୋଷ୍ଠୀ ତାଙ୍କୁ ଅତ୍ୟାଚାର କରି ପୁନର୍ବାର ବିଜେପିରେ ସାମିଲ କରାଇଛନ୍ତି।

Leave A Reply

Your email address will not be published.