Odisha Link
Bridging the Missing Links in Odisha

ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ, ବଦଳିଲା ପୋଷାକ ରଙ୍ଗ

ଓଏଲ୍‌ ବ୍ୟୁରୋ: ଏଣିକି ନବମ-ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟ ମିଳିବ ମାଗଣା ୟୁନିଫର୍ମ। ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧା ପାଇପାରିବେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭଳି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ୟନିଫର୍ମ ଦିଆଯିବ। ଧଳା ଓ ଘନନୀଳ ବଦଳରେ ଏଣିକି ସେମାନେ ‘ହଣ୍ଟର ଗ୍ରିନ୍‌’ ରଙ୍ଗର ପୋଷାକ ପିନ୍ଧିବେ। ଛାତ୍ରଙ୍କ ପାଇଁ ଫୁଲ୍‌ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍‌ ପୋଷାକ ରହିଛି। ଡ୍ରେସ୍‌ରେ ଏକ ଲୋଗୋ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ରହିବ। ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ।

ସେହିପରି ଶନିବାର ବିଭିନ୍ନ କ୍ଲବର କାର୍ଯ୍ୟକଳାପ ରହିଥିବାରୁ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ। ୧୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟର ପିଲାମାନେ ୪ଟି ରଙ୍ଗ ଏବଂ ଶହେରୁ ଅଧିକ ପିଲା ରହିଥିଲେ ଦୁଇଟି ରଙ୍ଗର ଡ୍ରେସ୍‌ ପିନ୍ଧିବେ। ଛାତ୍ରଛାତ୍ରୀଙ୍କ ପାଇଁ କଳା ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ ହୋଇଛି।

ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ୫୫୦ ଟଙ୍କାରେ ଦୁଇହଳ ପୋଷାକ, ୨୦୦ ଟଙ୍କାରେ ହଳେ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ ଯୋଗାଇ ଦିଆଯିବ। ଜଣେ ପିଲା ପିଛା ମୋଟ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଛି। ପିଲାଙ୍କ ପାଇଁ ଆବଶ୍ୟକ ଅର୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିର ମିଳିତ ଆକାଉଣ୍ଟକୁ ପଠାଯିବ। ସେମାନେ ଧାର୍ଯ୍ୟ ସମୟରେ ୟୁନିଫର୍ମ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓସେପା ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଯାଇଛି।

ଏହି ସବୁ ପୋଷାକ ଏସ୍‌ଏଚ୍‌ଜି ମହିଳା ମାନେ ତିଆରି କରିବେ। ସ୍କୁଲ କର୍ତ୍ତୃପକ୍ଷ ବିଭାଗରୁ ଟଙ୍କା ଆସିବା ପାଇଁ ଏକ ଜିରୋ ଆକାଉଣ୍ଟ ଖୋଲିବେ। ସ୍କୁଲ ପ୍ରଧାନଶିକ୍ଷକ ବିଲ୍‌ ଦେଲେ ଟଙକା ଆସିବ। ଏହାକୁ ପୋଷାକ ଯୋଗାଇଥିବା ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀ ତଥା ଏମ୍‌ଏସ୍‌ଇକୁ ଦିଆଯିବ। ଅଗଷ୍ଟ ୧୫ ସୁଦ୍ଧା ପୋଷାକ ତିଆରି ହୋଇ ବଣ୍ଟନ କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.