Odisha Link
Bridging the Missing Links in Odisha

ବିଜେଡି ଜିତିଲେ ଅନ୍ୟକେହି ମୁଖ୍ୟମନ୍ତ୍ରୀ ହେବେ: ପ୍ରଦୀପ ପୁରୋହିତ

ଲୋକମାନେ ୫-ଟି ସଚିବଙ୍କୁ ଭୋଟ ଦେଇନାହାନ୍ତି, ସେ ଜଣେ ସରକାରୀ ଅଧିକାରୀ।

ଓଏଲ୍‌ ବ୍ୟୁରୋ: ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ନାଁ ନେଇ କଲେ ଟାର୍ଗେଟ। ଆଜି ଭିକେ ପାଣ୍ଡିଆନ୍‌ ଅନୁଗୁଳ ଗସ୍ତ କରିଥିବା ବେଳେ ଭୁବନେଶ୍ବରରୁ ତାଙ୍କ ଗସ୍ତକୁ ନେଇ ଟାର୍ଗେଟ କରିଛି ବିଜେପି। ପ୍ରଦୀପ ପୁରୋହିତ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ବିଜେଡି ଜିତିଲେ ଅନ୍ୟକେହି ମୁଖ୍ୟମନ୍ତ୍ରୀ ହେବେ। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା।

ପ୍ରଦୀପ ପୁରୋହିତ କହିଛନ୍ତି, ଓଡ଼ିଶାର ଲୋକମାନେ ବିଜେଡି ବା ଶଙ୍ଖ ଚିହ୍ନକୁ ଭୋଟ ଦେଇଥିଲେ। ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ। ହେଲେ ବାସ୍ତବରେ ଏବେ ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ନେତା, ମନ୍ତ୍ରୀ ଅଞ୍ଚଳ ଗସ୍ତ ଆଉ କରୁ ନାହାନ୍ତି। ତାଙ୍କ ସ୍ଥାନରେ ସବୁ ଜାଗାକୁ ୫-ଟି ସଚିବ ଯାଉଛନ୍ତି। ଲୋକମାନେ ୫-ଟି ସଚିବଙ୍କୁ ଭୋଟ ଦେଇନାହାନ୍ତି, ସେ ଜଣେ ସରକାରୀ ଅଧିକାରୀ। ହେଲେ ଓଡିଶାରେ ଏବେ କିନ୍ତୁ ଶାସନର ମୁଖ୍ୟ ହିସାବରେ ଚେହେରା ହେଉଛି ୫-ଟି ସଚିବଙ୍କର। ବିଜେପି କେବେ କେଉଁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିନିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିନି। କିନ୍ତୁ ଏବେ ଜଣେ ଅଧିକାରୀ କ’ଣ ପାଇଁ ନେତାଙ୍କ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ବିଜେପି ବିରୋଧ କରୁଛି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି।

ସେ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାପରେ ଅଛନ୍ତି। ଏଭଳି ସ୍ଥିତି ଏବେ ହେଇଛି ଯେ ୫ଟି ସଚିବଙ୍କୁ ନ ଧରିଲେ ମୁଖ୍ୟମନ୍ତ୍ରୀଙ୍କ ପାଦ ଆଗକୁ ବଢୁନାହିଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ପୁରା ଅସହାୟ ହେଇ ବସିଛନ୍ତି। ୫ଟି ସଚିବ ଯାହା ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତାହା କରୁଛନ୍ତି। ହେଲେ ବିଜେଡିରେ ଯେଉଁ ସ୍ୱାଭିମାନୀ ନେତା ଅଛନ୍ତି, ସେମାନେ ୨୦୨୪ ନିର୍ବାଚନ ପୂର୍ବରୁ ଦଳରେ ବହୁତ ବଡ଼ ବିଦ୍ରୋହ କରିବେ ବୋଲି ପ୍ରଦୀପ କହିଛନ୍ତି।

ବିଜେଡିର ବହୁ ବଡ଼ ବଡ଼ ନେତାମାନେ ଏବେ ଅସନ୍ତୁଷ୍ଟ। ମନ ଭିତରେ କଷ୍ଟ ଥିଲେ ବି କହିପାରୁନାହାନ୍ତି। ଏହାର କାରଣ ହେଉଛି ୨୦୨୪ରେ ଯିଏ ଲଢ଼ିବେ, ସେମାନଙ୍କର ସିଧା ଟିକେଟ ପାଣ୍ଡିଆନଙ୍କ ହାତରେ ଅଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି। ଆଗାମୀ ନିର୍ବାଚନରେ ୫ଟି ସଚିବ ଟିକେଟ୍ ବାଣ୍ଟିବେ ଏବଂ ଯିଏ ତାଙ୍କର ବିରୋଧ କରିବ ତାଙ୍କ ଟିକେଟ୍ କଟିବ ବୋଲି ପ୍ରଦୀପ ପୁରୋହିତ କହିବା ସହିତ ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି। ସେ ଆହୁୁରି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ୨୦୨୪ ବିଜେଡି ଜିତିଲେ ଅନ୍ୟକେହି ମୁଖ୍ୟମନ୍ତ୍ରୀ ଆସନରେ ବସିବେ।

Leave A Reply

Your email address will not be published.