Odisha Link
Bridging the Missing Links in Odisha

ଚନ୍ଦ୍ରଯାନ-୩: ଆଉ କିିଛି ଘଣ୍ଟାର ଅପେକ୍ଷା, ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ

ଓଏଲ୍‌ ବ୍ୟୁରୋ: ପୁଣିଥରେ ବିଶ୍ବ ଦରବାରରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଭାରତ। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ିହେବ ଆଉ ଏକ ନୂଆ ଅଧ୍ୟାୟ।ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-୩। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩।

ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବ ବିଶାଳକାୟ LVM3-M4। ୪୩.୫ ମିଟର ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ ଭାରତର ସର୍ବବୃହତ୍ ଲଞ୍ଚ ଭେହିକିଲ୍ ମାର୍କ-୩ର ଏହା ହେବ ଚତୁର୍ଥ ମିଶନ୍। ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିକ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩।

ଏହି ଚନ୍ଦ୍ରଯାନରେ ରହିଛି ମୋଟ ୩ହଜାର ୯ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ସେଠାରୁ ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

ଚନ୍ଦ୍ରଯାନ-୩ରେ ଓଡ଼ିଶାର ଯୋଗଦାନ:

ଭାରତର ତୃତୀୟ ଚନ୍ଦ୍ର ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ। ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ। ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ଏଠାରେ ନିର୍ମାଣ ହୋଇଛି।

ରୁଷର ମିଶନ ସ୍ଥଗିତ; ଇସ୍ରୋ ପାଖରେ ପ୍ରଥମ ଲ୍ୟାଣ୍ଡିଂ କରିବା ସୁଯୋଗ:

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ମୁନ ମିଶନ ସ୍ଥଗିତ କରିଦେଇଛି। ଏପରିକି ଗ୍ରାଉଣ୍ଡ ଇନଫ୍ରାଷ୍ଟ୍ରକଚର ଆଡିଶିନାଲ କାର୍ଯ୍ୟ ଗୁଡ଼ିକ ପୁରା ହୋଇ ନଥିବାରୁ ମିଶନକୁ ସ୍ଥଗିତ କରିଛି ରୁଷ। ଏହାପୂର୍ବରୁ ୨୦୨୨ ମସିହାରେ ଯାନ୍ତ୍ରିକ ତ୍ରୁଟି ପାଇଁ ମିଶନକୁ ଶେଷ ସମୟରେ ସ୍ଥଗତି କରିଥିଲା। ଏସବୁ ମଧ୍ୟରେ ଭାରତ ପାଖରେ ବଡ଼ ସୁଯୋଗ ରହିଛି। ଚନ୍ଦ୍ରଯାନ-୩ ଜରିଆରେ ରୁଷଠୁ ପ୍ରଥମେ ଚନ୍ଦ୍ରମାରେ ପହଁଞ୍ଚିବାର ସୁଯୋଗ ଭାରତ ପାଖରେ ରହିଛି।

ଚନ୍ଦ୍ରଯାନ-୨ର ଭୁଲରୁ ଶିକ୍ଷା ମିଳିଛି: ଇସ୍ରୋ ମୁଖ୍ୟ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ-୨ରେ ଆମେ ଅସଫଳ ହୋଇଥିଲୁ। ସବୁବେଳେ ଆମେ ସଫଳ ହେବୁ ତାହା ବି ଜରୁରୀ ନୁହେଁ। ସବୁଠୁ ବଡ଼ କଥା ହେଲା ଚନ୍ଦ୍ରଯାନ-୨ରେ ହୋଇଥିବା ଭୁଲରୁ ଆମେ ବହୁତ କିଛି ଶିଖିବା ସହ ଚନ୍ଦ୍ରଯାନ-୩ର ପ୍ରସ୍ତୁତି କରିଛୁ। ସେ ଆହୁରି କହିଛନ୍ତି ଅସଫଳ ହେବା ମାନେ କାର୍ଯ୍ୟ କରିବା ଛାଡ଼ିଦେବୁ। ଚନ୍ଦ୍ରଯାନ-୩ ଜରିଆରେ ଆମେ ଇତିହାସ ରଚିବୁ ବୋଲି ସେ କହିଛନ୍ତି।

ସୁଦର୍ଶନଙ୍କ ଶୁଭେଚ୍ଛା ବାର୍ତ୍ତା:

ଚନ୍ଦ୍ରଯାନ-୩ ପାଇଁ ଇସ୍ରୋର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରା ଇସ୍ରୋ ଟିମକୁ ଶୁଭେଛା ଦେବା ସହ ମହାପ୍ରଭୁଙ୍କ ପାଖରେ ଏହି ଚନ୍ଦ୍ରଯାନ-୩ର ସଫଳତା କାମନା କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବାଲୁକାକଳା ମାଧ୍ୟମରେ ପୁରା ଟିମକୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.