Odisha Link
Bridging the Missing Links in Odisha

ଆଜିଠୁ ମୌସୁମୀ ଅଧିବେଶନ; ସଂସଦରେ ଏହିସବୁ ପ୍ରସଙ୍ଗ ଉଠାଇବ ବିଜେଡି

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହେବ। ଏଥର ମୌସୁମୀ ଅଧିବେଶନରେ କମ୍ପିବ ସଂସଦ। କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ କାଉଣ୍ଟର କରିବା ପାଇଁ ବିରୋଧୀ ସଜବାଜ ହୋଇ ସାରିଥିବା ବେଳେ ଶାସକ ଦଳ ତାର ଉତ୍ତର ଦେବା ପାଇଁ ମଧ୍ୟ ପ୍ରସ୍ତୁତ।

ସଂସଦରେ ମଣିପୁର ପ୍ରସଙ୍ଗ ପରି ବିଭିନ୍ନ ପ୍ରସଙ୍ଗ ଉଠାଇବ କଂଗ୍ରେସ। ଏନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, କଂଗ୍ରେସ ମଣିପୁର ହିଂସା ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଏ ନେଇ ସଂସଦରେ ଆଲୋଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅନ୍ୟପଟେ ସରକାର ମଧ୍ୟ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି। ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଆରଏସ୍‌ ସମେତ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସରକାର ‌ମୌସୁମୀ ଅଧିବେଶନରେ ୩୧ ବିଲ୍‌ ଆଗତ କରିବେ। ତଥ୍ୟ ସୁରକ୍ଷା ବିଲ୍‌, ୟୁସିସି (ସମାନ ନାଗରିକ ସଂହିତା), ଦିଲ୍ଲୀ ଅଧ୍ୟାଦେଶ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍‌ ସମେତ ମୋଟ୍‌ ୩୧ଟି ବିଲ୍‌ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ। ତେବେ ଦିଲ୍ଲୀ ଅଧ୍ୟାଦେଶ ଏବଂ ୟୁସିସି ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ମୌସୁମୀ ଅଧିବେଶନ ସରଗରମ ରହିବ ବୋଲି ଅନୁମାନ କରାଯାଉଛି।

ସଂସଦରେ ଓଡ଼ିଶାର ଦାବି ଉଠାଇବ ବିଜେଡି:

ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି । ୯ଟି ପ୍ରସଙ୍ଗକୁ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହିଳା ସଂରକ୍ଷଣ ବିଲ୍, ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି ଏବଂ ପିଏମଜିକେଏଓ୍ବାଇରେ ୭ ଲକ୍ଷ ଲୋକଙ୍କ ପାଇଁ ଘର ଏବଂ ପିଏମଏଓ୍ବାଇରେ ୫ କେଜି ଚାଉଳ ପୁଣି ଦେବାକୁ ଦାବି ଉଠାଇବ । ଚାଷୀଙ୍କ ସ୍ବାର୍ଥ ପାଇଁ ବଳକା ଚାଉଳ ଉଠାଣ, ଏମଏସପି ଏବଂ ଠିକ୍ ସମୟରେ ଫସଲ କିଣାବିକା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି । ଏଥିସହ ସାର ଯୋଗାଣ, ଯୋଗାଯୋଗ ଭିତ୍ତିଭୂମି, କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ହଟାଇବା ନେଇ ଗୃହରେ ଦାବି ଉଠାଯିବ ।

Leave A Reply

Your email address will not be published.