ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମ, ୬୧୩ ଫୁଟ ଟପିଲାଣି ଜଳସ୍ତର
ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି
![](https://www.odishalink.com/wp-content/uploads/2020/08/Hirakud-dam...jpg)
ଓଏଲ୍ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ତା ସହିତ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ଛୁଇଁଛି। ହୀରାକୁଦକୁ ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ସୂଚନା ଅନୁସାରେ, ଜୁଲାଇ ୨୩ରେ ହୀରାକୁଦ ଡ୍ୟାମ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବ ବୋଲି ହୀରାକୁଦ ବରିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏଥିପାଇଁ ସତର୍କତା ଜାରି କରିଛନ୍ତି।