Odisha Link
Bridging the Missing Links in Odisha

ଅଗଷ୍ଟ ୧୬ରୁ ହେବ କି ବସ୍‌ ଚଳାଚଳ ବନ୍ଦ? ବସ୍‌ ମାଲିକ ସଂଘ ନେଲା ଏଭଳି ନିଷ୍ପତ୍ତି 

ଓଏଲ୍‌ ବ୍ୟୁରୋ: ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ କରାଉଛନ୍ତି। ଏସବୁ ମଧ୍ୟରେ ରାଜ୍ୟ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି। ମୋ ବସ୍‌ ଚଳାଚଳ ଦ୍ବାରା ହେଉଥିବା କ୍ଷତି ଏବଂ ଗଣ୍ଡଗୋଳ ପରିସ୍ଥିତି ନେଇ ବୁଧବାର ରାତିରେ ରାଜ୍ୟ ବସ୍‌ ମାଲିକ ସଂଘର ଏକ ଜରୁରୀ ବୈଠକ ଡକାଯାଇଥିଲା।

ବିଭିନ୍ନ ଗ୍ରାମାଞ୍ଚଳକୁ ‘ମୋ ବସ୍‌’ ଚଳାଚଳ କରିବା ଦ୍ବାରା ଘରୋଇ ବସ୍‌ ମାଲିକମାନଙ୍କର କ୍ଷତି ହେଉଛି। ଏହାସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। କେବଳ ସହରାଞ୍ଚଳରେ ‘ମୋ ବସ୍’ ଚଳାଚଳ କରିବା ନେଇ ନିୟମ ହୋଇଥିଲେ ହେଁ ବେଆଇନ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ‘ମୋ ବସ୍’ ଚଳାଚଳ କରୁଛି। ରାଜ୍ୟ ସରକାର ଅଗଷ୍ଟ ୧୫ ସୁଦ୍ଧା ଏହି ସମସ୍ୟାର ସମାଧାନ ନକଲେ ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହେବ ବୋଲି ରାଜ୍ୟ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି।

ଜରୁରୀକାଳୀନ ବୈଠକରେ ୬୩ଟି ଆଞ୍ଚଳିକ ସଂଘର କର୍ମକର୍ତ୍ତା ଓ ବସ୍‌ ମାଲିକମାନେ ଯୋଗଦେଇଥିଲେ। ଏଥିରେ ମୋ ବସ୍‌ ଚଳାଚଳ ଦ୍ବାରା ହେଉଥିବା କ୍ଷତି ଏବଂ ଗଣ୍ଡଗୋଳ ପରିସ୍ଥିତି ନେଇ ଆଲୋଚନା ହୋଇଥିଲା। ଏହାପରେ ବସ୍‌ ଧର୍ମଘଟ ନେଇ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ରାଜ୍ୟରେ ମୋ ବସ୍‌ଗୁଡ଼ିକ ବିନା ପରମିଟ୍ ଓ ବିନା କାଗଜପତ୍ରରେ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି। ଏହାଦ୍ବାରା ସେହି ରୁଟ୍‌ରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକର ଘୋର୍‌ ଆର୍ଥିକ କ୍ଷତି ହେଉଛି। ସେହିପରି ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ପ୍ରଣୟନ କରିବାକୁ ଯାଉଥିବାବେଳେ ଏଥିରେ ଗ୍ରାମାଞ୍ଚଳରୁ ବ୍ଲକ ମୁଖ୍ୟାଳୟ ଓ ସହରାଞ୍ଚଳକୁ ବସ୍‌ ଯାତାୟତ କରିବ। ଏହାଦ୍ବାରା ଅରାଜକତା ସୃଷ୍ଟି ହେବ। ଏବେ ଏହି ରାସ୍ତାରେ ପର୍ଯ୍ୟାପ୍ତ ଘରୋଇ ବସ୍ ଚଳାଚଳ କରୁଛି। ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଲେ ଅସ୍ବାସ୍ଥ୍ୟକର ପ୍ରତିଦ୍ବନ୍ଦ୍ବିତା ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ।

Leave A Reply

Your email address will not be published.