Odisha Link
Bridging the Missing Links in Odisha

ଏଲ୍‌ବ୍ରସ୍‌ରୁ ଓଡ଼ିଶା ଫେରିଲେ ଆଇରନ୍‌ମ୍ୟାନ୍‌ ସୌଭାଗ୍ୟ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଫେରିଲେ ଆଇରନ୍‌ମ୍ୟାନ୍‌ ସୌଭାଗ୍ୟ କୁମାର ରଥ। ବିଦେଶ ମାଟିରେ ଜାତୀୟ ପତାକା ଉଡ଼ାଇ ସାରା ରାଜ୍ୟ ପାଇଁ ଗୌରବ ଆଣିଥିବା ସୌଭାଗ୍ୟ ଆଜି ଓଡ଼ିଶା ଫେରିଛନ୍ତି। ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଜାତୀୟ ପତାକା ଉଡ଼ାଇଥି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ।

ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ଏହି ଦୁଃସାହାସିକ ଯାତ୍ରା ଶେଷ କରିବା ପରେ ସେ ଆଜି ନୂଆଦିଲ୍ଲୀରେ ପହଁଞ୍ଚିଥିଲେ। ତାପରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ସୌଭାଗ୍ୟ। ସେ ଭୁବନେଶ୍ବରରେ ପହଁଞ୍ଚିଲା ପରେ ସଫଳତାର ଶ୍ରେୟ ମହାପ୍ରଭୁ ଜଗନ୍ନାଥ, ଓଡ଼ିଶାବାସୀ, ଆକାଶବାଣୀ ଏବଂ ନୟାଗଡ଼ ବିକାଶ ମଞ୍ଚକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସୌଭାଗ୍ୟଙ୍କୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ, ନୟାଗଡ଼ ବିକାଶ ମଞ୍ଚ ତରଫରୁ ଭୁବନେଶ୍ବର ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ସୌଭାଗ୍ୟଙ୍କ ଏହି ସଫଳତାରେ ନୟାଗଡ଼ ବିକାଶ ମଞ୍ଚର ଆବାହକ ତଥା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ସୌଭାଗ୍ୟ କେବଳ ନୟାଗଡ଼ ନୁହେଁ, ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ସଞ୍ଜୀବ ମଙ୍ଗରାଜ, ଡାକ୍ତର ପ୍ରବୀର ମିଶ୍ର ସୌଭାଗ୍ୟ କୁମାର ରଥଙ୍କୁ ସ୍ୱାଗତ କରିଥିଲେ l

ସୈଭାଗ୍ୟ କୁମାର ରଥ ଏହି ସଫଳତା ପାଇବା ପରେ କହିଛନ୍ତି, ଅଗଷ୍ଟ ୧୩ ଭାରତୀୟ ସମୟ ଅନୁସାରେ ଦିନ ୧୧.୧୦ରେ ଇଉରୋପ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ (୫୬୪୨ ମିଟର) ଆରୋହଣ କଲି। ପ୍ରବଳ ଝଡ ଓ ତୁଷାରପାତ ସତ୍ବେ ଏହି ଦଳର ସମସ୍ତ ସଦସ୍ୟ ସଫଳ ହେଲେ। ଏହି ଦଳରେ ୪ ରୁଷୀୟ , ୨ ଭାରତୀୟ ଏବଂ ୩ ଜଣ ପ୍ରଶିକ୍ଷକ ଯାଇଥିଲେ। ସେ ପୁନଶ୍ଚ କହିଛନ୍ତି ‘ମୋ ସଫଳତାର ଶ୍ରେୟ ମୁଁ ମହାପ୍ରଭୁ ଜଗନ୍ନାଥ, ଆକାଶବାଣୀ ଏବଂ ନୟାଗଡ଼ ବିକାଶ ମଞ୍ଚକୁ ଅର୍ପଣ କରୁଛି।’

ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ସୌଭାଗ୍ୟ ନୟାଗଡ଼ରୁ ଯାତ୍ରା ଆରମ୍ଭ କରିଥିଲେ। ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିଥିଲେ। ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡୀ’ ଯାତ୍ରା କରିଥିଲେ। ଅଗଷ୍ଟ ୮ ତାରିଖରେ ଦୁଃସାହସିକ ପର୍ବତାରୋହଣ ଆରମ୍ଭ କରିଥିଲେ। ଅଗଷ୍ଟ ୧୩ ତାରିଖରେ ସୌଭାଗ୍ୟ ତାଙ୍କର ଦୁଃସାହିସକ ପର୍ବତାରୋହଣ ଶେଷ କରିଥିଲେ। ଆଜି ସେ ଓଡ଼ିଶା ପ୍ରତ୍ୟବାର୍ତ୍ତନ କରିଛନ୍ତି।

Leave A Reply

Your email address will not be published.