ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର ବିରୋଧ, ଗୋ-ବ୍ୟାକ୍ ନାରାରେ କମ୍ପିଲା ବ୍ରହ୍ମପୁର

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ସରଗରମ ହୋଇଉଠିଛି ଗଂଜାମ ସହର। ଖୋର୍ଦ୍ଧା ପରେ ଆଜିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ୫-ଟି ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।
ଏହି ସମୟରେ ସରକାରଙ୍କୁ ଖୋଲା ଚ୍ୟାଲେଂଜ ଦେଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗଂଜାମରେ ଆୟୋଜିତ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବାଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳର କର୍ମୀ ବିରୋଧ କରିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଥିଲେ, ମୋ ନିର୍ବାଚନମଣ୍ଡଳୀକୁ ମୋତେ କିଏ ରୋକିବ ଦେଖିବି। ଆଜି ମୋ ଉପରେ କିଛି ଆକ୍ରମଣ ହେଲେ ଦାୟୀ ରହିବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି। ତାହା ପରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଥିଲା।
ଅନ୍ୟପଟେ, ୫-ଟି ସଚିବଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ କରାଯାଇଛି। ଅପରାହ୍ନ ୪.୧୫ ବଦଳରେ ୨.୧୫ ରେ ରଙ୍ଗେଇଲୁଣ୍ଡା ଯିବେ। ସେପଟେ, କବି ସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର ପଡ଼ିଆରେ ଚାଲିଥିବା ଅଭିଯୋଗ କାର୍ଯ୍ୟକ୍ରମରେ ପାଣ୍ଡିଆନ୍ ଯୋଗଦେଇଛନ୍ତି।
ସେହିପରି କବିସୂର୍ଯ୍ୟନଗର ବୁରୁଝୁରି ବାଲିବଣ ପଡ଼ିଆରେ ପହଞ୍ଚି ଜୟ ମା’ ତାରିଣୀ କହି ନିଜର ଅଭିଭାଷଣ ରଖିଥିଲେ। ଏହା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା ପାଣ୍ଡିଆନ୍ କରିଛନ୍ତି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଥିବ ସମସ୍ତ କଲେଜ ରୂପାନ୍ତରିକରଣ ହେବ ବୋଲି ସେ ଘୋଷଣା କରିଛନ୍ତି। ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ କଡା ଗଞ୍ଜାମରେ କଡା ସୁରକ୍ଷା ବ୍ୟବସ୍ତା ମଧ୍ୟ କରାଯାଇଛି।