Odisha Link
Bridging the Missing Links in Odisha

ବାଚସ୍ପତି ନିର୍ବାଚନ: କଂଗ୍ରେସ ପରେ ବିଜେପି ନେଲା ଏହି ବଡ଼ ପଦକ୍ଷେପ 

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ବାଚସ୍ପତି ନିର୍ବାଚନକୁ ନେଇ କଂଗ୍ରେସ ବିରୋଧ ସ୍ୱର ଉତ୍ତୋଳନ କରିଥିବା ବେଳେ ବିଜେପି ମଧ୍ୟ ଏକ ପ୍ରକାର ଏଥିରେ ସାମିଲ ହେବା ସ୍ପଷ୍ଟ ହୋଇଛି। ପୂର୍ବରୁ ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବେ ବୋଲି ନରସିଂହ ମିଶ୍ର କହିଥିବାବେଳେ ପ୍ରେସମିଟରେ ବିଜେପି ବିଧାୟକ ନାଉରୀ ନାଏକ ମଧ୍ୟ ବାଚସ୍ପତି ନିର୍ବାଚନକୁ ବିଜେପି ବର୍ଜନ କରିବ ବୋଲି କହିଛନ୍ତି। ନୂଆଖାଇ ସମୟରେ ନିର୍ବାଚନ ହେଉଥିବାରୁ ବାଚସ୍ପତି ନିର୍ବାଚନକୁ ବିଜେପି ବର୍ଜନ କରିବ ବୋଲି କହିଛନ୍ତି।

ବାଚସ୍ପତି ନିର୍ବାଚନକୁ ନରସିଂହ ମିଶ୍ରଙ୍କ ବୟକଟ୍ ଘୋଷଣା ପ୍ରସଙ୍ଗରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମତ ରଖିଥିଲେ। ସେ କହିଥିଲେ, ପଶ୍ଚିମ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦିଅନ୍ତି। ପୂର୍ବ କି ପଶ୍ଚିମ ଓଡ଼ିଶା କେବେ ଦେଖନ୍ତିନି ରାଜ୍ୟ ସରକାର। ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବୈମାତୃକ ମନୋଭାବ କରିନାହାନ୍ତି। ବାଚସ୍ପତି ନିର୍ବାଚନ ସଂସଦୀୟ ବ୍ୟାପାର ବିଭାଗ କଥା। ସଂସଦୀୟ ବ୍ୟାପାର ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ନିହାତି ଅବଗତ କରିଥିବେ। ସେ ଯାହା ନିଷ୍ପତ୍ତି ନେବେ ତାହା ଅଧିକାର କ୍ଷେତ୍ରର କଥା ବୋଲି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଥିଲେ।

ସୂଚନା ଅନୁସାରେ, ବାଚସ୍ପତି ନିର୍ବାଚନକୁ ନେଇ ନରସିଂହ ମିଶ୍ର କହିଛନ୍ତି ଯେ, କଂଗ୍ରେସର କୌଣସି ବି ବିଧାୟକ ନିର୍ବାଚନରେ ଭାଗ ନେବେନି। ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ, ୨ ଦିନ ପାଳନ ହୁଏ। ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ୨୧ରେ ବିଧାନସଭା ଡାକିଛନ୍ତି। ପ୍ରତିବାଦ ସତ୍ତ୍ୱେ କର୍ଣ୍ଣପାତ କରୁନାହାନ୍ତି, ପଶ୍ଚିମ ଓଡ଼ିଶା ପ୍ରତି ଉପହାସ। ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି ନରସିଂହ ମିଶ୍ର କହିଥିଲେ।

ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି। ଆସନ୍ତା ୨୧ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଥିବାବେଳେ ୧୮ରେ ନାମାଙ୍କନ ଦାଖଲ କରାଯିବ। ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ପଡ଼ିଛି। ୨୨ରୁ ବିଧାନସଭା ପାଇଁ ତତ ସଂଲଗ୍ନ ରାସ୍ତାରେ କମିଶନରେଟ ପୁଲିସ କଟକଣା ଜାରି କରିଛି।

Leave A Reply

Your email address will not be published.