Odisha Link
Bridging the Missing Links in Odisha

ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଲୋକସଭାରେ ପାସ୍‌

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ତଥା ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଆଜି ଲୋକସଭାରେ ପାରିତ ହୋଇଛି।ପାଖାପାଖି ୮ଘଣ୍ଟାର ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଏହି ବିଲ୍। ଆଜି ଏହା ପାରିତ ହେବା ସହ ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।ମଙ୍ଗଳବାର କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲୋକସଭାରେ ଉପସ୍ଥାପିତ କରିଥିଲେ।

ଆଜି ଦିନ ୧୧ଟାରୁ ଏହା ଉପରେ ବିତର୍କ ଆରମ୍ଭ ହୋଇଥିଲା। ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ହୋଇଛି। ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ବିଲ୍‌ ଉପରେ ନିଜର ପକ୍ଷ ରଖିଥିଲେ। ସେ ବିଲ୍‌କୁ ସମର୍ଥନ କରିଥିଲେ ମଧ୍ୟ ଏଥିରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାମିଲ କରିବାକୁ ଦାବି କରିଥିଲେ। ସେହିପରି ତୁରନ୍ତ ଏହାର ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ବ୍ୟତୀତ ଏନସିପିର ସୁପ୍ରିୟା ସୁଲେ ଓ ଡିଏମକେର କାନିମୋଝୀ ମଧ୍ୟ ସମାନ ଦାବି ରଖିଥିଲେ। କିନ୍ତୁ ସରକାର ବିରୋଧୀଙ୍କ କୌଣସି ପ୍ରକାରର ଦାବିକୁ ଶୁଣି ନାହାନ୍ତି।

ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ। କିନ୍ତୁ ଆଇନରେ ପରିଣତ ହେଲେ ମଧ୍ୟ ଏହାର ବ୍ୟବସ୍ଥା ୨୦୨୯ ପୂର୍ବରୁ ଲାଗୁ ହୋଇପାରିବ ନାହିଁ। ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଓଓ୍ବାଲ ବିଲ୍‌ ଉପରେ ମତ ରଖିଥିଲେ। ଏହାପରେ ମତଦାନ ହୋଇଥିଲା। ଶେଷରେ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଛି। ଆସନ୍ତାକାଲି ଏହି ବିଲ୍‌ ରାଜ୍ୟସଭାରେ ଉପସ୍ଥାପନ କରାଯିବ।

୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍‌ ଆଇନରେ ପରିଣତ ହେଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କେବଳ ପ୍ରଥମ ସୀମା ପୁନଃ ନିର୍ଦ୍ଧାରଣ କିମ୍ବା ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ। ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବ। ୨୦୨୭ରେ ଯାଇ ଦେଶରେ ଜନଗଣନା କରାଯିବ। ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା।

Leave A Reply

Your email address will not be published.