କୃଷିକ୍ଷେତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ: ୨୦୮ ଗୋଟି ବୃହତ ଉଠାଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ

ଓଏଲ୍ ବ୍ୟୁରୋ: କୃଷିକ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉପାୟରେ ପ୍ରାଧାନ୍ୟ ଦେଇଛନ୍ତି। ତେବେ ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଜାରି ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୦୮ ଗୋଟି ବୃହତ ଉଠାଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ୨.୬୪ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ପାଖାପାଖି ୭ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ତେବେ ୭୫୦୦କୋଟି ବିନିଯୋଗରେ ପ୍ରଥମ ପର୍ଯ୍ୟାୟ ବୃହତ ଉଠାଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୭୦ଗୋଟି ପ୍ରକଳ୍ପ ଯୋଜନାଧୀନ କରାଯାଇଛି। ୨୨୧୦ କୋଟି ଟଙ୍କା ବିନିଯୋଗରେ ୪୧ ଟି ପ୍ରକଳ୍ପ ନିର୍ମାଣ କରାଯାଉଛି।
ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ ଉପସ୍ଥାପନାରେ ଅର୍ଥମନ୍ତ୍ରୀ କହିଥିଲେ, ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ଜାତିସଂଘ ଦ୍ବାରା ପ୍ରଶଂସିତ ହୋଇଛି। ଏଥର ବଜେଟ ଦୁଇ ଭାବରେ ବିଭକ୍ତ ହୋଇଛି। ପ୍ରଥମଟି ହେଉଛି କୃଷି ଏବଂ ଦ୍ୱିତୀୟଟି ହେଉଛି ସାଧାରଣ ବଜେଟ। ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ବ୍ୟୟ ବରାଦ ହୋଇଛି ବୋଲି ସୂଚନା ଦେଇଥିଲେ।