Odisha Link
Bridging the Missing Links in Odisha

ଗୃହରେ ପ୍ରଶ୍ନକାଳ: ବିଜୁ ଯୁବ ବାହିନୀ ଯୋଜନା ବାବଦ ଖର୍ଚ୍ଚର ହିସାବ ଦେଲେ ସରକାର

ଓଏଲ୍‌ ବ୍ୟୁରୋ: ପଞ୍ଚମ ଦିନରେ ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ପରେ ବିଧାନସଭାରେ ଶାସକ-ବିରୋଧୀ ପୁଣିଥରେ ମୁହାଁମୁହିଁ ହୋଇଥିଲେ। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରାଯାଇଥିଲା।

ଗୃହରେ ପ୍ରଶ୍ନକାଳ ସମୟରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି। ବିଜୁ ଯୁବ ବାହିନୀ ଯୋଜନା ବାବଦ ଖର୍ଚ୍ଚର ସରକାର ହିସାବ ଦେଇଛନ୍ତି। ୨୦୧୮-୧୯ରେ ୧୫୯ କୋଟି ୮୯ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା। ୧୯-୨୦ରେ ୨୩ କୋଟି ୭୭ ଲକ୍ଷ ୫୨ ହଜାର ୨୪୪ ଟଙ୍କା ବ୍ୟୟ ବରାଦ କରାଯାଇଛି। ୨୦୨୦-୨୧ରୁ ଆଉ ବ୍ୟୟ ବରାଦ ହୋଇନି କି କାର୍ଯ୍ୟକ୍ରମ ହୋଇନି ବୋଲି ତୁଷାରକାନ୍ତି ବେହେରା ଗୃହରେ ବିବୃତି ରଖିଛନ୍ତି।

ସେହିପରି ଦୁର୍ବିପାକ ଓ ବିପର୍ଯ୍ୟୟଜନିତ ମୃତ୍ୟୁକୁ ନେଇ ରାଜସ୍ୱ ମନ୍ତ୍ରୀ ତଥ୍ୟ ରଖିଥିଲେ। ୫ ବର୍ଷରେ ପାଣିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ ସର୍ବାଧିକ ୬୫୧ ପ୍ରାଣ ହରାଇଛନ୍ତି। ସାପ କାମୁଡ଼ାରେ ୫୨୧୯ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ମୟୂରଭଞ୍ଜରେ ସର୍ବାଧିକ ୪୬୦ ପ୍ରାଣ ହରାଇଛନ୍ତି। ବଜ୍ରପାତରେ ବି ମୟୂରଭଞ୍ଜରେ ସର୍ବାଧିକ ୨୧୦ ଜଣଙ୍କ ପ୍ରାଣ ଯାଇଛି। ବିଗତ ୫ ବର୍ଷରେ ମୟୂରଭଞ୍ଜ ଜିଲ୍ଲାରେ ୧୪୪୪ ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ। ତେବେ ଗତକାଲି ହଟ୍ଟଗୋଳ ପରେ ଆଜି ବିଧାନସଭା ସରଗରମ ରହିବ ବୋଲି ଅନୁମାନ କରାଯାଉଥିବାବେଳେ କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି। ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଗୌରବ ଅର୍ଜନ କରିଛି ଓଡ଼ିଶା। ଏ ଯାଏ ରାଜ୍ୟରେ ୩୫ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଥିବା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ସେହିପରି କଟକ ବାରବାଟୀ ଷ୍ଟାଡିୟମରେ ବହୁ ଅନ୍ତର୍ଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ହୋଇଛି। ଆଗାମୀ ଦିନରେ ବାରବାଟୀ ଷ୍ଟାଡିୟମର ଆଧୁନିକିକରଣ ଓ ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ତୁଷାରକାନ୍ତି ବେହେରା କହିଛନ୍ତି।

Leave A Reply

Your email address will not be published.