ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଜଳ, ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ର ଜଳସ୍ତର ସର୍ବୋଚ୍ଚ ସ୍ତରରେ ପହଂଚିଛି। ହୀରାକୁଦ ଡ୍ୟାମ ଅପରାହ୍ନ ୩ଟା ସୁଦ୍ଧା ସର୍ବୋଚ୍ଚ ଜଳସ୍ତର ଛୁଇଁଥିବାବେଳେ ଜଳସ୍ତର ୬୩୦ ଫୁଟରେ ପହଂଚିଛି। ବର୍ତ୍ତମାନ ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି ହୋଇଛି।
ଅନ୍ୟପଟେ, ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଲଘୁଚାପ ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।