ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ବିଭିନ୍ନ ଦଳ ନିଜର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଥିବାବେଳେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ପଦଯାତ୍ରାର ଶୁଭାରମ୍ଭ ସହ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନବୀନ କହିଛନ୍ତି, ଗାନ୍ଧିଜୀ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହି ଆସିଛନ୍ତି। ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ଆଗକୁ ବାଟ ଦେଖାଇ ଆସୁଛି।
ସାଧାରଣ ଲୋକଙ୍କ ଖୁସି ଆମର ସବୁଠୁ ବଡ ଖୁସି। ସେଥିପାଇଁ ବିଜେଡି ଗରିବ, ମହିଳା, ଯୁବବର୍ଗ, ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ କାମ କରି ଆସୁଛି। ସେମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ କାମ କରୁଛି। ମହିଳା ସଂରକ୍ଷଣ ବିଲକୁ ଆଇନରେ ପରିଣତ କରିବାକୁ ବହୁଦିନର ଉଦ୍ୟମ ଥିଲା। ଖୁସିର କଥା ମହିଳା ସଂରକ୍ଷଣ ଏବେ ଆଇନରେ ପରିଣତ ହୋଇଛି। ଓଡ଼ିଶା ଏବେ ରୂପାନ୍ତରଣ କ୍ଷେତ୍ରରେ ଆଗେଇ ଚାଲିଛି।
ବିରୋଧୀଙ୍କର ଜନବିରୋଧୀ ଓ ବିକାଶ ବିରୋଧୀ ନୀତିକୁ ଲୋକେ ଭଲ ଭାବେ ବୁଝିଛନ୍ତି। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଥିବା ଦଳକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ। ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଦଳ ଖୁସି ନାହାନ୍ତି। ଲୋକଙ୍କୁ ଭୁଲ ଖବର ଦେବା ବିରୋଧୀଙ୍କର କାମ ପାଲଟିଛି। ନିର୍ବାଚନ ଆସିଲେ ସେମାନେ ଏଭଳି କାମ କରିଥାନ୍ତି। ଏଥିପାଇଁ ଲୋକେ ସବୁବେଳେ ବିରୋଧୀ ଦଳକୁ ପ୍ରତ୍ୟାଖାନ କରି ଆସୁଛନ୍ତି।