Odisha Link
Bridging the Missing Links in Odisha

ବିଧାୟକ ବିଜୟ ଶଙ୍କର ବାହାହେବେ କାହାକୁ? ସୋମାଲିକା କହିଲେ-ଛାଡ଼ିବିନି

ଓଏଲ୍‌ ବ୍ୟୁରୋ: ବ୍ୟକ୍ତିଗତ କାରଣ ପାଇଁ ପୁଣିଥରେ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ।ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ସେ ଚର୍ଚ୍ଚାରେ। ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ ଓହରି ଯିବା ନେଇ ଯୌନ ନିର୍ଯାତନା ଓ ପ୍ରତାରଣାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏପରି ସମୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସେ ଆବେଦନ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ବିସ୍ଫୋରକ ବୟାନ ଦେଇଛନ୍ତି ସୋମାଲିକା ଦାଶ। ସେ କହିଛନ୍ତି, ବିଜୟଙ୍କୁ ମୁଁ ଛାଡ଼ିବିନି।କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବି। ମୋର କଣ କିଛି ଇଜ୍ଜତ ନାହିଁ। ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ? ସେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ? ଏମିତି କହି ବିଜୟଶଙ୍କରଙ୍କ ଉପରେ ବର୍ଷିଛନ୍ତି ସୋମାଲିକା।

ସେ ଆହୁରି କହିଛନ୍ତି, ‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି। ଜଗତସିଂହପୁର ପୁଲିସ ମୋର ବୟାନ ରେକର୍ଡ କରି ସାରିଛି। ବାରମ୍ବାର ଡାକି ମୋତେ ପଚାରୁଛି ପୁଲିସ, କିନ୍ତୁ ଥରେ ବି ବିଜୟଙ୍କୁ ଡାକି ଜେରା କରିନି। ଦଳ ପାଇଁ ଏଭଳି ସପୋର୍ଟ ମିଳୁଛି। ଜଣେ ସାଧାରଣ ଲୋକ ହୋଇଥିଲେ ସେ କେବେବି ଏପରି କରିନଥାନ୍ତେ। ଯାହା ବି ହେଉ, ୩୦ ଦିନ ଭିତରେ ନିଶ୍ଚିତ ଅଭିଯୋଗ କରିବି ବୋଲି କହିଛନ୍ତି ସୋମାଲିକା।

ପ୍ରତ୍ୟୁଷା ନନ୍ଦ କିଏ?
ବିଧାୟକ ବିଜୟ ଶଙ୍କର ଦାସ ନିଜର ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ନିମନ୍ତେ ଗତ ୨୧ତାରିଖରେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ତେବେ ପ୍ରତ୍ୟୁଷାଙ୍କ ସହ ଶ୍ରୀ ଦାସ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ-ଇନରେ ରହୁଛନ୍ତି। ପ୍ରତ୍ୟୁଷା ପୂର୍ବରୁ ବିବାହିତା ଓ ତାଙ୍କର ୫-୬ବର୍ଷ ବୟସର ଗୋଟିଏ ପୁଅ ମଧ୍ୟ ଅଛି।

ପ୍ରତ୍ୟୁଷାଙ୍କ ପ୍ରଥମ ବିବାହ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ହୋଇଥିଲା।ପ୍ରତ୍ୟୁଷା ତାଙ୍କ ସ୍ୱାମୀଙ୍କ ସହ ବାଙ୍ଗାଲୋରରେ ରହୁଥିବାବେଳେ କୋଭିଡ୍ ସମୟରେ ନିଜ ଘରକୁ ଫେରିଥିଲେ । ଆଉ ତା’ପରେ ହିଁ ବିଜୟଶଙ୍କର ସହ ତାଙ୍କର ଘନିଷ୍ଠତା ଗଢ଼ି ଉଠିଥିଲା । ଇତିମଧ୍ୟରେ ପ୍ରତ୍ୟୁଷାଙ୍କର ପ୍ରଥମ ବିବାହର ଡିର୍ଭୋସ ହୋଇସାରିଥିବା ଜଣାପଡ଼ିଛି।

ସୂଚନାଥାଉକି, ବିଧାୟକ ଶ୍ରୀ ଦାସ ଗତବର୍ଷ ମେ’ ୧୭ତାରିଖରେ ନିଜର ଦୀର୍ଘଦିନର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ କରିବାକୁ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଥିଲେ। କିନ୍ତୁ ଏକମାସର ନୋଟିସ୍ ଅବଧି ପରେ ସେ ବିବାହ ପାଇଁ ଉପସ୍ଥିତ ହୋଇନଥିଲେ। ଯାହାକୁ ନେଇ ସୋମାଲିକା ପରବର୍ତ୍ତୀ ସମୟରେ ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା, ଦୁଷ୍କର୍ମ ମାମଲା ଦାଏର କରିଥିଲେ।

Leave A Reply

Your email address will not be published.