Odisha Link
Bridging the Missing Links in Odisha

ଓସେପା ବହିକିଣା ଦୁର୍ନୀତି: ସାନି ଟେଣ୍ଡର ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରକାଶକ

ମୁଖ୍ୟମନ୍ତ୍ରୀ ଏ ମାମଲାରେ ହସ୍ତକ୍ଷେପ କରିବା ସହ ସାନି ଟେଣ୍ଡର ପାଇଁ ନିର୍ଦେଶ ଦେବେ ବୋଲି ପ୍ରକାଶକମାନେ ଆଶା ବାନ୍ଧିଛନ୍ତି। ଅନ୍ୟଥା ୫୦ରୁ ଅଧିକ ପ୍ରକାଶକ ଏକାଠି ହୋଇ ଓସେପାର ଅସାଧୁ କାରବାର ବିରୋଧରେ ଆଇନର ଆଶ୍ରୟ ନେବାକୁ ବାଧ୍ୟହେବେ ବୋଲି ଜଣାଇଛନ୍ତି।

ଭୁବନେଶ୍ବର: ଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବାର୍ଷିକ ବହିକିଣା ଯୋଜନାରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରକାଶକ। ଏ ନେଇ ପ୍ରମୁଖ ପ୍ରକାଶନ ସଂସ୍ଥା ନିରୁପମା ବୁକ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖା ଯାଇଥିବାବେଳେ ସାନି ଟେଣ୍ଡର ଦାବି କରାଯାଇଛି। ସରକାର ଏ ପ୍ରସଙ୍ଗରେ ହସ୍ତକ୍ଷେପ ନକଲେ ନିରୁପମା ସମେତ ପ୍ରାୟ ୫୦ରୁ ଅଧିକ ପ୍ରକାଶକ କୋର୍ଟର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

ନିରୁପମା ବୁକ୍ସ ପକ୍ଷରୁ ଏ ପ୍ରସଙ୍ଗରେ ପୂର୍ବରୁ ଯଥାକ୍ରମେ ୩ ଅକ୍ଟୋବର ଓ ୬ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଚିଠି ପଠାହୋଇ ଥିବାବେଳେ ଆଜି ପୁଣି ତୃତୀୟ ଥର ପାଇଁ ଚିଠି ଲେଖାଯାଇଛି। ଚିଠିରେ ୯ଟି ବିସଂଗତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ନିରୁପମା ପଣ୍ଡା।

ଓସେପା ପକ୍ଷରୁ ବିଦ୍ୟାଳୟ ପାଠାଗାର ପାଇଁ ପୁସ୍ତକ କ୍ରୟ ନିମନ୍ତେ ପ୍ରତିବର୍ଷ ଟେଣ୍ଡର ବା ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ପ୍ରକାଶ ପାଇଥାଏ। ଏଥିରେ ଯୋଗ୍ୟ ବିବେଚିତ ପ୍ରକାଶକମାନେ ବହିକିଣା ପ୍ରକ୍ରିୟାରେ ଭାଗ ନେଇଥାଆନ୍ତି। ଚଳିତ ବର୍ଷ ଏହି ଯୋଜନାରେ ପ୍ରାୟ ୪୫ କୋଟି ଟଙ୍କାର ପୁସ୍ତକ କ୍ରୟ କରାଯିବ। ତେବେ ଏଥିରେ ନିର୍ଦିଷ୍ଟ ହାତଗଣତି ପ୍ରକାଶକଙ୍କୁ ଉଚ୍ଚ ମୂଲ୍ୟର କାର୍ଯ୍ୟାଦେଶ ମିଳୁଥିବାବେଳେ ରାଜ୍ୟର ଅଗ୍ରଣୀ ପ୍ରକାଶକମାନଙ୍କୁ ଅଣଦେଖା କରାଯାଉଛି।

ଗତବର୍ଷ (୨୦୨୨-୨୩)ର ବହି କିଣା ପାଇଁ ଫେବ୍ରୁଆରି ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏଯାଏଁ ପ୍ରକାଶକମାନେ ସେ ବାବଦ ସମ୍ପୂର୍ଣ ଅର୍ଥ ପାଇନାହାନ୍ତି। ଅଥଚ ୨୦୨୩-୨୪ ମସିହାର ବହିକିଣା ପ୍ରକ୍ରିୟା ଅତ୍ୟନ୍ତ ତରବରିଆ ଭାବେ ପୂଜାଛୁଟି ପୂର୍ବରୁ ସାରିଦେବାକୁ ଓସେପା କର୍ତୃପକ୍ଷ ଉଦ୍ୟମ କରୁଛନ୍ତି। କିଛି ଅଣପ୍ରକାଶକ ଅନୁଷ୍ଠାନ ତଥା ଭୁଲ ଓ ମନଗଢ଼ା ତଥ୍ୟ ଦେଇଥିବା ପ୍ରକାଶକ ଏଥର ଇଓଆଇରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ପ୍ରକୃତ ପ୍ରକାଶକମାନଙ୍କୁ ଜାଣିଶୁଣି କାଟି ଦିଆଯାଇଛି। ବାଦ ପଡ଼ିଥିବା ପ୍ରକାଶକମାନଙ୍କ ନଥି ପୁନଃଯାଞ୍ଚ ପାଇଁ ଅକ୍ଟୋବର ୪ରେ ଚିଠି ହୋଇଥିବାବେଳେ ଏହାର ଶେଷ ତାରିଖ ଥିଲା ଅକ୍ଟୋବର ୬ ତାରିଖ। ଯୋଗ୍ୟ ପ୍ରକାଶକଙ୍କ ଚୂଡ଼ାନ୍ତ ତାଲିକା ଏଯାଏଁ ପ୍ରକାଶ ପାଇନଥିବାବେଳେ ଅକ୍ଟୋବର ୪ ତାରିଖଠାରୁ ବହି ଚୟନ କମିଟି ବସାଇ ବହି ବାଛିବା କାମ ଏ ଭିତରେ ପ୍ରାୟ ଶେଷ ହୋଇଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ବହି ଚୟନ ବେଆଇନ ବୋଲି ପ୍ରକାଶକମାନେ ଅଭିଯୋଗ କରିଛନ୍ତି।

ଯେକୌଣସି ସରକାରୀ ଟେଣ୍ଡର ବା ଇଓଆଇ ପ୍ରକ୍ରିୟାରେ ଆବେଦନକାରୀ ଅନୁଷ୍ଠାନର ପୂର୍ବ ବର୍ଷମାନଙ୍କର ଆର୍ଥିକ ଆୟବ୍ୟୟ ହିସାବ ଓ ଲାଭକ୍ଷତିର ନଥି ଦାଖଲ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ। କିନ୍ତୁ କିଛି ପ୍ରକାଶକଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଓସେପା କର୍ତୃପକ୍ଷ ଏଥର ଟେଣ୍ଡର ପ୍ରକ୍ରିୟାରେ ଏ ନଥିକୁ ବାଧ୍ୟତାମୂକ କରିନାହାନ୍ତି। ବରଂ ଘୋଷଣାପତ୍ର ମାଧ୍ୟମରେ ମନଇଚ୍ଛା ଯିଏ ଯାହା ନିଜର ଆୟ ଦେଖାଇଛି ତାହାକୁ ଓସେପା କର୍ତୃପକ୍ଷ ଗ୍ରହଣ କରି ନେଇଛନ୍ତି। ଅନୁରୂପ ଭାବେ ଟ୍ରଷ୍ଟ୍‌ ଓ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ପାଇଁ ଆୟକର ରିଟର୍ନ ମଧ୍ୟ ବାଧ୍ୟତାମୂଳକ ନକରି କେବଳ ଘୋଷଣାପତ୍ର ଦେବା ପାଇଁ କୁହାଯାଇଛି ଯାହା ସମ୍ପୂର୍ଣ ବେଆଇନ ବୋଲି ପ୍ରକାଶକମୋନ ଅଭିଯୋଗ କରିଛନ୍ତି। ଏଭଳି ଗଳାବାଟ ତିଆରି କରି ନିଜର ଇପ୍ସିତ ପ୍ରକାଶକ ଓ ଅଣପ୍ରକାଶକଙ୍କୁ ସୁଯୋଗ ଦେବାକୁ ଓସେପା କର୍ତୃପକ୍ଷ ଜାଣିଶୁଣି ଇଓଆଇକୁ ତ୍ରୁଟିପୂର୍ଣ କରିଥିବା ଅଭିଯୋଗ ହୋଇଛି।
୩ ବର୍ଷର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ବହି ଦାଖଲ ଆଦୌ ପରଖିନାହାନ୍ତି ବୋଲି ପ୍ରକାଶକମାନେ ଅଭିଯୋଗ କରିଛନ୍ତି।

ପୂର୍ବବର୍ଷମାନଙ୍କରେ ଏକ ପ୍ରାକ୍‌-ଇଓଆଇ ବୈଠକ ମାଧ୍ୟମରେ ଓସେପା କର୍ତୃପକ୍ଷ ଓ ପ୍ରକାଶକମାନଙ୍କ ମଧ୍ୟରେ ଆଲୋଚନା ହୋଉଥିଲା। ଏ ବର୍ଷ ଜାଣିଶୁଣି ଏ ବୈଠକ ଡକାଯାଇନାହିଁ। ଅଗଷ୍ଟ ୨୩ ପୂର୍ବରୁ ଚିଠି ମାଧ୍ୟମରେ ପ୍ରକାଶକମାନେ ସମସ୍ୟା ଜଣାଇଲେ ଓସେପା କର୍ତୃପକ୍ଷ ସେ ନେଇ ଉତ୍ତର ରଖିବେ ଓ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଟେଣ୍ଡର ନଥିରେ ଉଲ୍ଲେଖ ଥିଲା। ରାଜ୍ୟର ସବୁଠୁ ବଡ଼ ପ୍ରକାଶକ ସଂଘ “ଉତ୍କଳ ପବ୍ଲିଶର୍ସ ଆଣ୍ଡ୍‌ ବୁକ୍‌ସେଲର୍ସ ଆସୋସିଏସନ୍” ଅଗଷ୍ଟ ୨୧ରେ ଏ ନେଇ ଓସେପା ନିର୍ଦେଶକଙ୍କୁ ଏକ ଚିଠି କରିଥିଲେ ଯାହାର ଉତ୍ତର ଏଯାଏଁ ମିଳିନାହିଁ। ଏପରିକି ଅଗଷ୍ଟ ୨୩ରେ ଏ ଚିଠିର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣଶିକ୍ଷା ସଚିବଙ୍କୁ ପ୍ରେରଣ କରାଯିବା ପରେ ବି ଓସେପା କର୍ତୃପକ୍ଷ ଚୁପହୋଇ ବସିଛନ୍ତି।

 

 

ଆଦୌ ବହି ବ୍ୟବସାୟ ସହ ଜଡ଼ିତ ନଥିବା କିଛି ବ୍ୟବସାୟ ଅନୁଷ୍ଠାନକୁ ପ୍ରକାଶକ ସଜାଇ ଓସେପା କର୍ତୃପକ୍ଷ ଦୁଇବର୍ଷ ଧରି ମୋଟା ଅଙ୍କର କାର୍ଯ୍ୟାଦେଶ ଦେଇ ଆସୁଛନ୍ତି। ଏଥର ମଧ୍ୟ ସେଭଳି କିଛି ଅନୁଷ୍ଠାନକୁ ଯୋଗ୍ୟ ବିବେଚିତ କରାଯାଇଥିବା ଅଭିଯୋଗ ହୋଇଛି। ସବୁଠୁ ବଡ଼କଥା ହେଲା, ଏ ପ୍ରକ୍ରିୟାରେ ବ୍ୟାପକ ଲାଞ୍ଚ କାରବାର ହେଉଛି ଏବଂ ଏଥିରେ ଓସେପା ଅଧିକାରୀମାନେ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ପ୍ରକାଶକ। କିଛି ନିର୍ଦିଷ୍ଟ ସଂସ୍ଥାକୁ ବାରମ୍ବାର ଉଚ୍ଚ ମୂଲ୍ୟର କାର୍ଯ୍ୟାଦେଶ ମିଳୁଛି।

ଆଜିର ଚିଠି ମାଧ୍ୟମରେ ପ୍ରକାଶକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ଇଓଆଇକୁ ବାତିଲ କରି ସାନି ଟେଣ୍ଡର କରାଯାଉ। ତା ପୂର୍ବରୁ ପୂର୍ବ ବର୍ଷର ବକେୟା ଅର୍ଥ ଦିଆଯାଉ। ନୂଆ ଟେଣ୍ଡର ପ୍ରକ୍ରିୟାରେ ଆୟବ୍ୟୟ ଓ ଲାଭକ୍ଷତି ନଥି ତଥା ଆୟକର ରିଟର୍ଣ ନଥି ଦାଖଲକୁ କଡ଼ାକଡ଼ି କରାଯାଉ। ଗତ ସପ୍ତାହରେ ହୋଇଥିବା ପୁସ୍ତକ ଚୟନକୁ ବାତିଲ କରାଯାଉ। ନୂଆ ଟେଣ୍ଡର ହେବା ସହ ଆବେଦନକାରୀଙ୍କ ସମସ୍ତ ନଥି କଡ଼ାକଡ଼ି ଯାଞ୍ଚ କରାଯାଉ। ଓସେପା କର୍ତୃପକ୍ଷଙ୍କ ସହ ଅସାଧୁ ମେଣ୍ଟ କରିଥିବା ଅଣପ୍ରକାଶକ ସଂସ୍ଥାଙ୍କୁ ବାଦ ଦିଆଯିବା ସହ ପୁସ୍ତକ ଚୟନ କମିଟିରେ ଲେଖକ, ଶିଶୁ ସାହିତ୍ୟିକ ଓ ଶିଶୁମନସ୍ତତ୍ବବିତଙ୍କୁ ସାମିଲ କରିବାକୁ ଦାବି ହୋଇଛି।

ମୁଖ୍ୟମନ୍ତ୍ରୀ ଏ ମାମଲାରେ ହସ୍ତକ୍ଷେପ କରିବା ସହ ସାନି ଟେଣ୍ଡର ପାଇଁ ନିର୍ଦେଶ ଦେବେ ବୋଲି ପ୍ରକାଶକମାନେ ଆଶା ବାନ୍ଧିଛନ୍ତି। ଅନ୍ୟଥା ୫୦ରୁ ଅଧିକ ପ୍ରକାଶକ ଏକାଠି ହୋଇ ଓସେପାର ଅସାଧୁ କାରବାର ବିରୋଧରେ ଆଇନର ଆଶ୍ରୟ ନେବାକୁ ବାଧ୍ୟହେବେ ବୋଲି ଜଣାଇଛନ୍ତି।

Leave A Reply

Your email address will not be published.