Odisha Link
Bridging the Missing Links in Odisha

ଲକ୍ଷ୍ମୀ ବସ୍‌ରେ ଯାତ୍ରା କଲେ କେତେ ପଡ଼ିବ ଭଡ଼ା, ଜାଣନ୍ତୁ କ’ଣ ରହିଛି ସୁବିଧା

ଓଏଲ୍‌ ବ୍ୟୁରୋ: ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି। ୧୯୨ କୋଟି ବ୍ୟୟରେ ୧୮ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏହା ସହ ୯୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସବୁଜ ପତାକା ଦେଖାଇ ଯୋଜନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହୋଇଛି।

ଲକ୍ଷ୍ମୀ ବସ ଦ୍ୱାରା ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ। ତେବେ ଏହି ଲକ୍ଷ୍ମୀ ବସରେ ଯାତାୟତ କରିବା ପାଇଁ ଦେୟ ସ୍ଥିର ହୋଇଛି। ୨ ପ୍ରକାର ବସରେ ଲୋକେ ଯାତାୟତ କରିପାରିବେ। ଗୋଟିଏ ଏସି ହୋଇଥିବାବେଳେ ଅନ୍ୟଟି ହେଉଛି ବିନା ଏସି। ତେବେ ଏହି ଦୁଇ ପ୍ରକାରର ବସ ପାଇଁ ଭିନ୍ନ ଭଡା ସ୍ଥିର ହୋଇଛି।

ଦୂରତା ଅନୁସାରେ ବିନା ଏସି ବସରେ ଜଣେ ସାଧାରଣ ବ୍ୟକ୍ତି ୧୦ କିଲୋ ମିଟର ମଧ୍ୟରେ ଯାତ୍ରା କଲେ ୫ ଟଙ୍କା ଦେୟ ସ୍ଥିର ହୋଇଥିବାବେଳେ ୧୧ରୁ ୨୦କି.ମି ପାଇଁ ୧୦ଟଙ୍କା ସ୍ଥିର ହୋଇଛି। ସେହିକ୍ରମରେ ୨୧ରୁ ୪୦ କି.ମି ପାଇଁ ୧୫ ଟଙ୍କା, ୪୧ରୁ ୬୦ ପାଇଁ ୨୫ଟଙ୍କା ଏବଂ ୬୧ରୁ ୮୦ କି.ମି ପାଇଁ ୩୦ ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ବିନା ଏସି ବସରେ ଯାତ୍ରା କରୁଥିବା ବ୍ୟକ୍ତି ପାଇଁ ସର୍ବାଧିକ ଭଡା ଅଟେ।

ସେହିଭଳି ଲକ୍ଷ୍ମୀ ଯୋଜନାରେ ଥିବା ଏସି ବସ ପାଇଁ ଭିନ୍ନ ଦେୟ ସ୍ଥିର ହୋଇଛି। ଦୂରତା ଅନୁସାରେ ଏସି ବସରେ ଜଣେ ସାଧାରଣ ବ୍ୟକ୍ତି ଯାତ୍ରା କଲେ ୧୦ ଟଙ୍କାରୁ ଦେୟ ଆରମ୍ଭ ହେବ। ୧୦ କିଲୋ ମିଟର ମଧ୍ୟରେ ଯାତ୍ରା କଲେ ୧୦ ଟଙ୍କା ଦେୟ ସ୍ଥିର ହୋଇଥିବାବେଳେ ୧୧ରୁ ୨୦କି.ମି ପାଇଁ ୨୦ଟଙ୍କା ସ୍ଥିର ହୋଇଛି।

ସେହିକ୍ରମରେ ୨୧ରୁ ୪୦ କି.ମି ପାଇଁ ୪୦ ଟଙ୍କା, ୪୧ରୁ ୬୦ ପାଇଁ ୬୦ ଟଙ୍କା ଏବଂ ୬୧ରୁ ୮୦ କି.ମି ପାଇଁ ୮୦ ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ଏସି ବସରେ ଯାତ୍ରା କରୁଥିବା ବ୍ୟକ୍ତି ପାଇଁ ସର୍ବାଧିକ ଭଡା ଅଟେ। ଅନ୍ୟପଟେ ମହିଳା, ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବସ ଭଡା ସ୍ଥିର କରାଯାଇଛି।

ଓଡିଶାର ବିକାଶରେ ମାଲକାନଗିରିର ଭୂମିକା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମା’ ମାନଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରି ରୁ ହିଁ ଆସିଥିଲା। ସେ ପୁଣି କହିଥିଲେ ଯେ ଆମର ଏହି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ। ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା ବୋଲି ସେ କହିଥିଲେ। ଏହି ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେ କହିଥିଲେ।

Leave A Reply

Your email address will not be published.