Odisha Link
Bridging the Missing Links in Odisha

ବୋଲିଂ ପରେ ବ୍ୟାଟିଂରେ କମାଲ କଲା ଟିମ୍‌ ଇଣ୍ଡିଆ, ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ

ଓଏଲ୍‌ ବ୍ୟୁରୋ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଦିନିକିଆ ବିଶ୍ବକପ୍‌ର ୧୨ ତମ ମୁକାବିଲାରେ ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଛି ଭାରତ। ୧୯୨ ରନର ବିଜୟ ଲକ୍ଷ୍ୟକୁ ଭାରତ ଓଭରରେ ହାସଲ କରି ନେଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମାଙ୍କ ୮୬ ଓ ଶ୍ରେୟସ୍‌ ଆୟରଙ୍କ ୫୩ ରନ୍‌ ବଳରେ ଭାରତ ବିଜୟୀ ହୋଇଛି।

ପାକିସ୍ତାନ ଧାର୍ଯ୍ୟ କରିଥିବା ୧୯୨ ରନର ବିଜୟ ଲକ୍ଷ୍ୟକୁ ନଜରରେ ରଖି ଭାରତର ଦୁଇ ଷ୍ଟାର ଅପନର ରୋହିତ ଶର୍ମା ଓ ବିଶ୍ବକପ୍‌ ଡେବ୍ୟୁ କରିଥିବା ଶୁବମନ ଗିଲ୍‌ ଇନିଂସ୍‌ ଓପନ କରିଥିଲେ। ଦୁହେଁ ଦମଦାର ଷ୍ଟାର୍ଟ ମଧ୍ୟ ଦଳକୁ ଦେଇଥିଲେ। ହେଲେ ଶୁବମନ ମାତ୍ର ୧୧ଟି ବଲରେ ୧୬ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଦମଦାର ଫର୍ମରେ ଥିବା ଗିଲ୍‌ଙ୍କୁ ଆଫ୍ରିଦି ଆଉଟ୍‌ କରିଥିଲେ। ଏହାପରେ ରୋହିତଙ୍କ ସାଥ ଦେବା ପାଇଁ ବିରାଟ ମଇଦାନକୁ ଓହ୍ଲାଇଥିଲେ। ବିରାଟ ମଧ୍ୟ ୧୬ ରନ୍‌ କରି ହାସନ୍‌ ଅଲ୍ଲୀଙ୍କ ବଲରେ ଆଉଟ୍‌ ହୋଇଥିଲେ।

ଏହାପରେ ରୋହିତଙ୍କ ସାଥ ଦେବାକୁ ପଡ଼ିଆକୁ ଆସିଥିଲେ ଶ୍ରେୟସ ଆୟର। ରୋହିତ ଦମଦାର ବ୍ୟାଟିଂ ଜାରି ରଖିବା ସହିତ ଦିନିକିଆ କ୍ରିକେଟରେ ୩୦୦ତମ ଛକା ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଏହାପରେ ଦଳୀୟ ସ୍କୋର ୧୫୬ ଥିବା ବେଳେ ଆଫ୍ରିଦି ଟିମ୍‌ ଇଣ୍ଡିଆକୁ ଝଟକା ଦେଇଥିଲେ। ଇନଫର୍ମ ବ୍ୟାଟସମ୍ୟାନ୍‌ ରୋହିତଙ୍କୁ ଆଉଟ୍‌ କରିଥିଲେ। ରୋହିତ ୮୬ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ଶ୍ରେୟସ୍‌ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ। ଆଉ ରାହୁଲଙ୍କ ରନ୍‌ ଯୋଗୁଁ ଭାରତ ସହଜ ବିଜୟ ହାସଲ କରିଥିଲା।

ପ୍ରଥମ ଇନିଂସରେ ଦମଦାର ଆରମ୍ଭ କରିଥିବା ପାକିସ୍ତାନ ଟିମ୍‌ ଯଶପ୍ରୀତ ବୁମ୍ରାଙ୍କ ଇନ ସୁଇଂ। ଚାଇନା ମ୍ୟାନ କୁଲଦୀପ ଯାଦବଙ୍କ ଗୁଗୁଲି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲେନ୍ଥ ବଲ ଓ ମହମ୍ମଦ ସିରାଜଙ୍କ ଫାଷ୍ଟରକୁ ବୁଝିବାକୁ ସକ୍ଷମ ହୋଇପାରିନଥିଲା ପାକିସ୍ତାନ। ଯାହାଫଳରେ ଦଳ ଏକଦା ୧୫୫ ରନରେ ଦୁଇଟି ୱିକେଟ ହରାଇଥିବା ବାବର ଆଜମଙ୍କ ପାକିସ୍ତାନ ୨୦୦ ରନ ବି କରିବାକୁ ସକ୍ଷମ ହୋଇପାରିନଥିଲା। ଦଳର ଅଧିନାୟକ ବାବର ଆଜମ ଓ ଅଭିଜ୍ଞ ମହମ୍ମଦ ରିଜୱାନଙ୍କୁ ଛାଡ଼ି ଦେଲେ ଆଉ କେହି ବି ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ସକ୍ଷମ ହୋଇ ନାହାନ୍ତି। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ପାକ୍‌ ଟିମ୍‌ ଅଧିକ ସମୟ ତିଷ୍ଠି ପାରି ନଥିଲା। ୪୩ ଓଭର ଖେଳି ପାକ୍‌ ଦଳ ମାତ୍ର ୧୯୧ରେ ସମସ୍ତ ଓ୍ବିକେଟ ହରାଇଥିଲା। ଭାରତ ପକ୍ଷରୁ ବୁମରା, ସିରାଜ, ହାର୍ଦ୍ଦିକ, ଜାଡେଜା ଓ କୁଲଦୀପ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।

Leave A Reply

Your email address will not be published.