Odisha Link
Bridging the Missing Links in Odisha

କ୍ୟାପିଟାଲ ହସ୍ପିଟାଲରୁ ୬୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଚୋରି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ଥିବା କ୍ୟାପିଟାଲ ହସ୍ପିଟାଲରୁ ବଡ଼ ଧରଣର ଚୋରି। ପାଖାପାଖୀ ୫୦ରୁ ୬୦ ଲକ୍ଷ ଙ୍କାର ଲାବ୍‌ ଯନ୍ତ୍ରାଂଶ ଚୋରି ହୋଇଥିବା ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ବେଶରେ ଆସି କ୍ୟାପିଟାଲ ହସ୍ପିଟାଲରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ଏନେଇ ହସ୍ପିଟାଲ ପକ୍ଷରୁ ଅଭିଯୋଗ କରାଯିବା ପରେ କମିଶନରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ସଫେଇ କର୍ମଚାରୀଙ୍କ ବେଶରେ ୩ ଜଣ ମେଡ଼ିକାଲ୍‌ରେ ପ୍ରବେଶ କରିଥିଲେ। ସମ୍ପୂର୍ଣ୍ଣ ନିର୍ଭୟରେ ସେମାନେ ମେଡ଼ିକାଲ୍‌ରେ ପଶୁଥିବାର ଦେଖିବାକୁ ମିଳିଛି। ଜଣେ ପରେ ଜଣେ ଏମିତି ୩ ଜଣ ମେଡ଼ିକାଲ୍‌ର ପ୍ରଥମ ମହଲାରେ ଲ୍ୟାବରେ ପଶିଥିଲେ। ଡେଙ୍ଗୁ, ରକ୍ତ, ସ୍ପୋଟମ୍‌ ପ୍ରମୁଖ ଟେଷ୍ଟ ପାଇଁ ଆସିଥିବା ନୂଆ ଓ ପୁରୁଣା ଲାବ୍‌ ଯନ୍ତ୍ରାଂଶ ଚୋରି କରି ନେଇଥିଲେ। ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି।

ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ସଫେଇ କାର୍ଯ୍ୟର ଟେଣ୍ଡର ନେଇଥିବା ଠିକା ସଂସ୍ଥାକୁ ମଧ୍ୟ ଚୋରି ସମ୍ପର୍କରେ ଅବଗତ କରିଛନ୍ତି କ୍ୟାପିଟାଲ୍‌ ମେଡ଼ିକାଲ୍‌ କର୍ତ୍ତୃପକ୍ଷ।ଅନ୍ୟପକ୍ଷରେ ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.