Odisha Link
Bridging the Missing Links in Odisha

ବିଶ୍ବକପ୍‌ ୨୦୨୩: ରୋହିତଙ୍କ ଟାର୍ଗେଟରେ ଧୋନିଙ୍କଠୁ ଆରମ୍ଭ କରି ଗାଙ୍ଗୁଲିଙ୍କ ରେକର୍ଡ

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ଥିବା ରୋହିତ ଶର୍ମାଙ୍କ ଦଳକୁ ଏବେ ବାଂଲାଦେଶ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତମାନର ଫର୍ମକୁ ଦେଖିଲେ ଭାରତ ଏହି ମ୍ୟାଚ୍‌ରେ ସହଜରେ ଜିତିବ ବୋଲି ଆକଳନ କରାଯାଉଛି।

ବିଶ୍ବକପ୍‌ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍‌ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା ରଖିଛି। ୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍‌ରେ ବାଂଲାଦେଶ ପ୍ରଥମ ଭେଟରେ ଭାରତକୁ ହରାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ସଂସ୍କରଣରେ (୨୦୧୧, ୨୦୧୫, ୨୦୧୯)ରେ ପରାଜୟ ବରଣ କରିଥିଲା।

ଦମଦାର ଫର୍ମରେ ଭାରତୀୟ ଖେଳାଳି:
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଚଳିତ ବିଶ୍ବକପ୍‌ରେ ୩ଟି ମ୍ୟାଚ୍‌ ଖେଳି ୨୦୦ରୁ ଅଧିକ ରନ ସ୍କୋର କରିଛନ୍ତି। ଏହି ରନ୍‌ ମଧ୍ୟରେ ରୋହିତଙ୍କ ଏକ ଶତକ ଓ ଅର୍ଦ୍ଧଶତକ ଇନିଂସ ରହିଛି। ଯେଉଁ ଫର୍ମରେ ହିଟ୍‌ମ୍ୟାନ୍‌ ରୋହିତ ଅଛନ୍ତି ସେ ଦୁଇ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ କପିଳ ଦେବଙ୍କ ରେକର୍ଡକୁ ଅତିକ୍ରମ କରିପାରନ୍ତି। ସେହିପରି ଦଳର ଅନ୍ୟ ଖେଳାଳି ମାନେ ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ବର୍ତ୍ତମାନ ବିଶ୍ବକପ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଅଛି ଭାରତ। ଶେଷଥର ପାଇଁ ଭାରତ ୨୦୧୧ ମସିହାରେ ବିଶ୍ବକପ୍‌ ଜିତିଥିଲା। ଭାରତ ୨ଥର ବିଶ୍ବକପ୍‌ ବିଜୟୀ ହୋଇଛି। ଥରେ କପିଳ ଦେବଙ୍କ ନେତୃତ୍ବରେ ୧୯୮୩ ମସିହାରେ ବିଶ୍ବ ବିଜୟୀ ହୋଇଥିବା ବେଳେ ୨୦୧୧ରେ ଧୋନୀଙ୍କ ନେତୃତ୍ବରେ ଭାରତ ବିଶ୍ବ ବିଜେତା ହୋଇଥିଲା।

ରୋହିତ ଭାଙ୍ଗି ପାରିବେ କି ରେକର୍ଡ?
୩୬ ବର୍ଷିୟ ରୋହିତ ଶର୍ମା ଚଳିିତ ଦିନିକିଆ ବିଶ୍ବକପ୍‌ରେ ୩ଟି ଇନିଂସ୍‌ ଖେଳି ୨୧୭ ରନ କରି ସାରିଛନ୍ତି। ଆଜିର ମୁକାବିଲାରେ ଯଦି ରୋହିତ ୨୫ ରନ୍‌ ସ୍କୋର କରନ୍ତି ତେବେ ସେ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡକୁ ଭାଙ୍ଗିବେ। ଅଧିନାୟକ ଭାବେ ଧୋନି ୨୦୧୧ ମସିହାରେ ୨୪୧ ଓ ୨୦୧୫ ମସିହାରେ ୨୩୭ ରନ୍‌ ସ୍କୋର କରିଥିଲେ। ରୋହିତ ଆଜି ୨୫ ରନ୍‌ ସ୍କୋର କରନ୍ତି ତେବେ ଗୋଟିଏ ବିଶ୍ବକପ୍‌ରେ ଭାରତୀୟ ଅଧିନାୟକ ଭାବେ ଅଧିକ ରନ୍‌ କରିବା ମାମଲାରେ ଧୋନିଙ୍କୁ ଟପିଯିବେ। ସେହିପରି ରୋହିତ ଯଦି ୮୭ ରନର ଇନିଂସ ଖେଳନ୍ତି ଆଜି ତେବେ ସେ କପିଳ ଦେବଙ୍କ ରେକର୍ଡ ଭାଙ୍ଗି ପ୍ରଥମ ଭାରତୀୟ ଅଧିନାୟକ ଭାବେ ବଡ଼ ରେକର୍ଡର ଅଧିକାରୀ ହେବେ।

ନମ୍ବର-୧ ଉପରେ ରୋହିତଙ୍କ ନଜର:
ଦିନିକିଆ ବିଶ୍ବକପ୍‌ରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି ସୌରଭ ଗାଙ୍ଗୁଲି। ସେ ୨୦୦୩ ବିଶ୍ବକପ୍‌ରେ ୩ଟି ଶତକ ସହାୟତାରେ ୪୬୫ ରନ୍‌ ସ୍କୋର କରିଥିଲେ। ସେହିପରି ୨୦୧୯ ବିଶ୍ବକପ୍‌ରେ ସେତେବେଳର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୫ ଅର୍ଦ୍ଧଶତକୀୟ ଇନିଂସ ବଳରେ ୪୪୩ ରନ୍‌ ସ୍କୋର କରିଥଇଲେ। ଗାଙ୍ଗୁଲି ଏବଂ ବିରାଟଙ୍କ ବ୍ୟତୀତ ଭାରତର କୌଣସି ଅଧିନାୟକ ଦିନିକିଆ ବିଶ୍ବକପ୍‌ରେ ୪୦୦ ରନ୍‌ ସ୍କୋର କରି ପାରି ନାହାନ୍ତି।

Leave A Reply

Your email address will not be published.