Odisha Link
Bridging the Missing Links in Odisha

ପାର୍ବଣ ଋତୁରେ ଝଲସୁଛି ସହର, ଅପରାଧ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଝଲସୁଛି ସହର। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ ପୂଜାମଣ୍ଡପଗୁଡିକ ମା’ଙ୍କ ଆରାଧନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ଆଜି ଠାରୁ ମଣ୍ଡପରେ ଆରମ୍ଭ ହେଉଛି ମା’ଙ୍କ ମହାଷଷ୍ଠୀ ପୂଜା। ମହାଷଷ୍ଠୀ ଅବସରରେ ମା’ଙ୍କ ବେଲବରଣ କରାଯିବା ପରେ ସପ୍ତମୀଠାରୁ ମା’ଙ୍କ ଦର୍ଶନ ଆରମ୍ଭ ହେବ।

ଷଷ୍ଠୀପୂଜାରେ ମା’ଙ୍କ ବିଲ୍ବାଧିବାସ ଅନୁଷ୍ଠିତ ହେବାପରେ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ଷଷ୍ଠାଦି କର୍ମ ସମ୍ପନ୍ନ ହେବ। ଅଧିକାଂଶ ମଣ୍ଡପରେ ଶୁକ୍ରବାରଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରମୁଖ ମଣ୍ଡପଗୁଡିକରେ ଟ୍ରାଫିକ ପରିଚାଳନା ଓ ଭିଡ଼ ଏଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶାରଦୀୟ ପୂଜା ପାଇଁ କଟକ ସହରର ମେଢ଼ ଓ ମୂର୍ତ୍ତି ପ୍ରସିଦ୍ଧି ଲାଭ କରିଥିବାବେଳେ ଆକର୍ଷଣୀୟ ତୋରଣ ପାଇଁ ବାଜି ମାରିଥାଏ ଭୁବନେଶ୍ୱର। ତୋରଣକୁ ସର୍ବୋତ୍କୃଷ୍ଠ କରିବା ପାଇଁ ଗତ କିଛି ବର୍ଷ ହେବ ରାଜଧାନୀର ପୂଜାମଣ୍ଡପଗୁଡିକ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେଉଛି।

ଏଲଇଡି ଓ ଡିଜିଟାଲ ଲାଇଟ୍‌ରେ ଝଲସୁଛି ରାଜଧାନୀ। ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା, ଷ୍ଟେସନ ବଜାର, ବମିଖାଲ, ରସୁଲଗଡ଼, ୟୁନିଟ-୪, ୟୁନିଟ-୮, ୟୁନିଟ୍‌-୧ ଭଳି ପ୍ରମୁଖ ପୂଜାମଣ୍ଡପ ଉପରେ ସମସ୍ତଙ୍କ ନଜର ରହିଛି।ଏହାବ୍ୟତୀତ ଷ୍ଟେସନ ବଜାର, ଭିଏସ୍‌ଏସ୍‌ ନଗର, ବମିଖାଲ ଭଳି ପୂଜା ମଣ୍ଡପର ମଧ୍ୟ ଏଥର ଆକର୍ଷଣ ରହିଛି।

ଅନ୍ୟପଟେ, ଦୁର୍ଗାପୂଜା ପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ପାର୍ବଣ ସମୟରେ ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ କମିଶନରେଟ୍ ପୁଲିସ ମଧ୍ୟ ପ୍ରସ୍ତୁତି ହୋଇଛି। ପୂଜା ସମୟରେ ଭୁବନେଶ୍ୱରକୁ ଜଗିବେ ୩୧ ପ୍ଲାଟୁନ ଫୋର୍ସ। ଏନେଇ ପ୍ରେସମିଟ୍‌ରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ୧୨ ଅତିରିକ୍ତ ଡିଏସ୍‌ପି, ୨୩ ଏସିପି, ୪୧ ଇନ୍ସପେକ୍ଟର ନିୟୋଜିତ ହେବେ। ସହରକୁ ୩ଟି ସେକ୍ଟରରେ ଭାଗ କରାଯାଇ ମୋବାଇଲ୍ ପାଟ୍ରୋଲିଂ ଚାଲିଛି। ୬ଟି ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲିଛି, ଷ୍ଟ୍ରାଇକିଂ ଫୋର୍ସ ବି ଅଛନ୍ତି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.