ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ: ଗଜପତି ମହାରାଜା ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜା ସୂଚନା ଦେଇଛନ୍ତି। ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି, ମଣତି ଏବଂ ଏଏସଆଇ ଦ୍ୱାରା ରତ୍ନଭଣ୍ଡାର ମରାମତି ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।
ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସମୟରେ ବା ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲିବା ଉଚିତ୍ ହେବ ନାହିଁ । ରଥଯାତ୍ରା ସମୟ ରତ୍ନଭଣ୍ଡାର ଖୋଲାଯିବାର ଉଚିତ୍ ସମୟ। ଏହି ସମୟରେ ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି କରାଯିବ। ଏନେଇ ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି। ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଗଜପତି ମହାରାଜ ଜଣାଇଛନ୍ତି।