Odisha Link
Bridging the Missing Links in Odisha

ବିଦ୍ୟାଳୟ ପାଠାଗାର ବହିକିଣା ଦୁର୍ନୀତି: ଓସେପାକୁ ହାଇକୋର୍ଟ ଛାଟ

ପ୍ରତିପକ୍ଷ ସରକାରୀ ଓକିଲଙ୍କ ସମ୍ମତି କ୍ରମେ ଆବେଦନକାରୀ ପ୍ରକାଶନ ସଂସ୍ଥାର ଆବେଦନ ଗ୍ରହଣ କରିବା ସହ ସେମାନଙ୍କୁ ୩ ମାସ ମଧ୍ୟରେ ଆଦେଶ ପ୍ରଦାନ କରିବାକୁ ଓସେପା ନିର୍ଦେଶକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଉଭୟ ପ୍ରକାଶନ ସଂସ୍ଥା ଅକ୍ଟୋବର ୨୦ରେ ମାନ୍ୟବର ଅଦାଲତଙ୍କ ନିର୍ଦେଶ ଗ୍ରହଣ କରିବା ପରେ ଏହାର ନକଲ ଓସେପା ନିର୍ଦେଶକଙ୍କୁ ପ୍ରଦାନ କରିଛନ୍ତି।

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବାର୍ଷିକ ବହିକିଣା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ନେଇ ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ଏ ମାମଲା ରୋଚକ ମୋଡ଼ ନେଇଛି। ଓସେପାର ପୁସ୍ତକ ଚୟନ ପ୍ରକ୍ରିୟାକୁ ବିରୋଧ କରି ପ୍ରକ୍ରିୟାରୁ ବାଦ ପଡ଼ିଥିବା ପ୍ରକାଶକମାନେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବାବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦୁଇ ପ୍ରକାଶକଙ୍କ ସପକ୍ଷରେ ରାୟ ଦେଇଛନ୍ତି। ବାଦ ପଡ଼ିଥିବା ପ୍ରକାଶକଙ୍କୁ ପ୍ରକ୍ରିୟାରେ ସାମିଲ କରିବାକୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ। ଆବେଦନକାରୀ ପ୍ରକାଶକଙ୍କ ଗୁହାରୀ ଶୁଣିବା ସହ ତାଙ୍କୁ ତିନିମାସ ମଧ୍ୟରେ ଆଦେଶ ପ୍ରଦାନ କରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଜ ନିର୍ଦେଶରେ ଉଲ୍ଲେଖ କରିଛନ୍ତି।

ଓସେପା ପକ୍ଷରୁ ବିଦ୍ୟାଳୟ ପାଠାଗାର ପାଇଁ ପୁସ୍ତକ କ୍ରୟ ନିମନ୍ତେ ପ୍ରତିବର୍ଷ ଟେଣ୍ଡର ବା ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ପ୍ରକାଶ ପାଇଥାଏ। ଏଥିରେ ଯୋଗ୍ୟ ବିବେଚିତ ପ୍ରକାଶକମାନେ ବହିକିଣା ପ୍ରକ୍ରିୟାରେ ଭାଗ ନେଇଥାଆନ୍ତି। ଚଳିତ ବର୍ଷ ଏହି ଯୋଜନାରେ ପ୍ରାୟ ୪୫ କୋଟି ଟଙ୍କାର ପୁସ୍ତକ କ୍ରୟ କରାଯିବ। ତେବେ ଏଥିରେ ନିର୍ଦିଷ୍ଟ ହାତଗଣତି ପ୍ରକାଶକଙ୍କୁ ଉଚ୍ଚ ମୂଲ୍ୟର କାର୍ଯ୍ୟାଦେଶ ମିଳୁଥିବାବେଳେ ରାଜ୍ୟର ଅଗ୍ରଣୀ ପ୍ରକାଶକମାନଙ୍କୁ ଅଣଦେଖା କରାଯାଉଛି।

ଗତବର୍ଷ (୨୦୨୨-୨୩)ର ବହି କିଣା ପାଇଁ ଫେବ୍ରୁଆରି ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏଯାଏଁ ପ୍ରକାଶକମାନେ ସେ ବାବଦ ସମ୍ପୂର୍ଣ ଅର୍ଥ ପାଇନାହାନ୍ତି। ଅଥଚ ୨୦୨୩-୨୪ ମସିହାର ବହିକିଣା ପ୍ରକ୍ରିୟା ଅତ୍ୟନ୍ତ ତରବରିଆ ଭାବେ ପୂଜାଛୁଟି ପୂର୍ବରୁ ସାରିଦେବାକୁ ଓସେପା କର୍ତୃପକ୍ଷ ଉଦ୍ୟମ କରୁଥିଲେ। ଓସେପା ଟେଣ୍ଡର ପ୍ରକ୍ରିୟାର ପରିବର୍ତିତ ନୀତିକୁ ବିରୋଧ କରି ୬୦ରୁ ଅଧିକ ପ୍ରକାଶକ ଗତ ଅଗଷ୍ଟ ୨୧ ତାରିଖରେ ଓସେପା ନିର୍ଦେଶକଙ୍କୁ ପତ୍ର ଲେଖିଥିଲେ। ତେବେ ନିର୍ଦେଶକ ସେମାନଙ୍କ ଚିଠିର ଉତ୍ତର ଏଯାଏଁ ଦେଇନଥିବାବେଳେ ସେମାନଙ୍କ ମଧ୍ୟରୁ ୨୫ରୁ ଅଧିକ ପ୍ରକାଶକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏଥର ଟେଣ୍ଡର ପ୍ରକ୍ରିୟାରୁ ବାଦ ଦେଇଛନ୍ତି ବୋଲି ପ୍ରକାଶକ ଅଭିଯୋଗ କରିଥିଲେ। କିଛି ଅଣପ୍ରକାଶକ ଅନୁଷ୍ଠାନ ତଥା ଭୁଲ ଓ ମନଗଢ଼ା ତଥ୍ୟ ଦେଇଥିବା ପ୍ରକାଶକ ଏଥର ଇଓଆଇରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ପ୍ରକୃତ ପ୍ରକାଶକମାନଙ୍କୁ ଜାଣିଶୁଣି କାଟି ଦିଆଯାଇଛି। ବାଦ ପଡ଼ିଥିବା ପ୍ରକାଶକମାନଙ୍କ ନଥି ପୁନଃଯାଞ୍ଚ ପାଇଁ ଅକ୍ଟୋବର ୪ରେ ଚିଠି ହୋଇଥିବାବେଳେ ଏହାର ଶେଷ ତାରିଖ ଥିଲା ଅକ୍ଟୋବର ୬ ତାରିଖ। ଯୋଗ୍ୟ ପ୍ରକାଶକଙ୍କ ଚୂଡ଼ାନ୍ତ ତାଲିକା ଏଯାଏଁ ପ୍ରକାଶ ପାଇନଥିବାବେଳେ ଅକ୍ଟୋବର ୩ ତାରିଖଠାରୁ ବହି ଚୟନ କମିଟି ବସାଇ ବହି ବାଛିବା କାମ ଏ ଭିତରେ ଶେଷ ହୋଇଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ବହି ଚୟନ ବେଆଇନ ବୋଲି ପ୍ରକାଶକମାନେ ଅଭିଯୋଗ କରିଛନ୍ତି। ଏ ନେଇ ଅକ୍ଟୋବର ୩ରୁ ଅକ୍ଟୋବର ୧୨ ମଧ୍ୟରେ ପ୍ରକାଶକମାନେ ବାରମ୍ବାର ଓସେପା ନିର୍ଦେଶକ, ଗଣଶିକ୍ଷା ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ ହେଁ କୌଣସି ଉତ୍ତର ନପାଇବାରୁ ବାଧ୍ୟ ହୋଇ ମାନ୍ୟବର ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଅଦାଲତ ଇତି ମଧ୍ୟରେ ଦୁଇଜଣ ପ୍ରକାଶକଙ୍କ ଆବଦେନର ଶୁଣାଣି କରିଛନ୍ତି। ଅକ୍ଟୋବର ୧୭ ତାରିଖରେ ନିରୁପମା ଏଣ୍ଟରପ୍ରାଇଜ୍‌ ସପକ୍ଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିବାବେଳେ, ଅକ୍ଟୋବର ୧୮ରେ ଓଡ଼ିଶା ଏଣ୍ଟରପ୍ରାଇଜେସ୍‌ ସପକ୍ଷରେ ନିର୍ଦେଶ ଦେଇଛନ୍ତି। ପ୍ରତିପକ୍ଷ ସରକାରୀ ଓକିଲଙ୍କ ସମ୍ମତି କ୍ରମେ ଆବେଦନକାରୀ ପ୍ରକାଶନ ସଂସ୍ଥାର ଆବେଦନ ଗ୍ରହଣ କରିବା ସହ ସେମାନଙ୍କୁ ୩ ମାସ ମଧ୍ୟରେ ଆଦେଶ ପ୍ରଦାନ କରିବାକୁ ଓସେପା ନିର୍ଦେଶକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଉଭୟ ପ୍ରକାଶନ ସଂସ୍ଥା ଅକ୍ଟୋବର ୨୦ରେ ମାନ୍ୟବର ଅଦାଲତଙ୍କ ନିର୍ଦେଶ ଗ୍ରହଣ କରିବା ପରେ ଏହାର ନକଲ ଓସେପା ନିର୍ଦେଶକଙ୍କୁ ପ୍ରଦାନ କରିଛନ୍ତି। ରୋଷର ଶିକାର ହୋଇଥିବା ଅନ୍ୟ ପ୍ରକାଶକମାନେ ମଧ୍ୟ ଅନୁରୂପ ନ୍ୟାୟ ଅପେକ୍ଷାରେ ଅଛନ୍ତି।

ଅନ୍ୟପଟେ ଏଥର ଇଓଆଇ ପ୍ରକ୍ରିୟାରେ ବ୍ୟାପକ ତ୍ରୁଟି ରହିଛି ଏବଂ ଏହାକୁ ସମ୍ପୂର୍ଣ ବନ୍ଦ କରି ନୂଆ ଇଓଆଇ ପ୍ରକାଶ ପାଉ ବୋଲି ପ୍ରକାଶକମାନେ ଦାବି କରିଛନ୍ତି। କୌଣସି ସରକାରୀ ଟେଣ୍ଡର ବା ଇଓଆଇ ପ୍ରକ୍ରିୟାରେ ଆବେଦନକାରୀ ଅନୁଷ୍ଠାନର ପୂର୍ବ ବର୍ଷମାନଙ୍କର ଆର୍ଥିକ ଆୟବ୍ୟୟ ହିସାବ ଓ ଲାଭକ୍ଷତିର ନଥି ଦାଖଲ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ। କିନ୍ତୁ କିଛି ପ୍ରକାଶକଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଓସେପା କର୍ତୃପକ୍ଷ ଏଥର ଟେଣ୍ଡର ପ୍ରକ୍ରିୟାରେ ଏ ନଥିକୁ ବାଧ୍ୟତାମୂକ କରିନାହାନ୍ତି। ବରଂ ଘୋଷଣାପତ୍ର ମାଧ୍ୟମରେ ମନଇଚ୍ଛା ଯିଏ ଯାହା ନିଜର ଆୟ ଦେଖାଇଛି ତାହାକୁ ଓସେପା କର୍ତୃପକ୍ଷ ଗ୍ରହଣ କରି ନେଇଛନ୍ତି। ଅନୁରୂପ ଭାବେ ଟ୍ରଷ୍ଟ୍‌ ଓ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ପାଇଁ ଆୟକର ରିଟର୍ନ ମଧ୍ୟ ବାଧ୍ୟତାମୂଳକ ନକରି କେବଳ ଘୋଷଣାପତ୍ର ଦେବା ପାଇଁ କୁହାଯାଇଛି ଯାହା ସମ୍ପୂର୍ଣ ବେଆଇନ ବୋଲି ପ୍ରକାଶକମୋନ ଅଭିଯୋଗ କରିଛନ୍ତି। ଏଭଳି ଗଳାବାଟ ତିଆରି କରି ନିଜର ଇପ୍ସିତ ପ୍ରକାଶକ ଓ ଅଣପ୍ରକାଶକଙ୍କୁ ସୁଯୋଗ ଦେବାକୁ ଓସେପା କର୍ତୃପକ୍ଷ ଜାଣିଶୁଣି ଇଓଆଇକୁ ତ୍ରୁଟିପୂର୍ଣ କରିଥିବା ଅଭିଯୋଗ ହୋଇଛି। ୩ ବର୍ଷର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ବହି ଦାଖଲ ଆଦୌ ପରଖିନାହାନ୍ତି ବୋଲି ପ୍ରକାଶକମୋନ ଅଭିଯୋଗ କରିଛନ୍ତି।

ପୂର୍ବବର୍ଷମାନଙ୍କରେ ଏକ ପ୍ରାକ୍‌-ଇଓଆଇ ବୈଠକ ମାଧ୍ୟମରେ ଓସେପା କର୍ତୃପକ୍ଷ ଓ ପ୍ରକାଶକମାନଙ୍କ ମଧ୍ୟରେ ଆଲୋଚନା ହୋଉଥିଲା। ଏ ବର୍ଷ ଜାଣିଶୁଣି ଏ ବୈଠକ ଡକାଯାଇନାହିଁ।

ଆଦୌ ବହି ବ୍ୟବସାୟ ସହ ଜଡ଼ିତ ନଥିବା କିଛି ବ୍ୟବସାୟ ଅନୁଷ୍ଠାନକୁ ପ୍ରକାଶକ ସଜାଇ ଓସେପା କର୍ତୃପକ୍ଷ ଦୁଇବର୍ଷ ଧରି ମୋଟା ଅଙ୍କର କାର୍ଯ୍ୟାଦେଶ ଦେଇ ଆସୁଛନ୍ତି। ଏଥର ମଧ୍ୟ ସେଭଳି କିଛି ଅନୁଷ୍ଠାନକୁ ଯୋଗ୍ୟ ବିବେଚିତ କରାଯାଇଥିବା ଅଭିଯୋଗ ହୋଇଛି। ସବୁଠୁ ବଡ଼କଥା ହେଲା, ଏ ପ୍ରକ୍ରିୟାରେ ବ୍ୟାପକ ଲାଞ୍ଚ କାରବାର ହେଉଛି ଏବଂ ଏଥିରେ ଓସେପା ଅଧିକାରୀମାନେ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ପ୍ରକାଶକ। କିଛି ନିର୍ଦିଷ୍ଟ ସଂସ୍ଥାକୁ ବାରମ୍ବାର ଉଚ୍ଚ ମୂଲ୍ୟର କାର୍ଯ୍ୟାଦେଶ ମିଳୁଛି।

ନ୍ୟାୟାଳୟର ନିର୍ଦେଶ ପରେ ଓସେପା କର୍ତୃପକ୍ଷ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ନିରୁପମା ଏଣ୍ଟରପ୍ରାଇଜ୍‌ ଓ ଓଡ଼ିଶା ଏଣ୍ଟରପ୍ରାଇଜେସ୍‌ ଆଶବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.