Odisha Link
Bridging the Missing Links in Odisha

କାଲିଠୁ କାର୍ତ୍ତିକ ମାସ ଆରମ୍ଭ, ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଚୂଡ଼ାନ୍ତ ବୈଠକ ଶେଷ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। ତେବେ ଏହି ମାସରେ ବିଭିନ୍ନ ବ୍ୟକ୍ତି ହବିଷ କରିଥାନ୍ତି। ତେବେ ଏଥି ପାଇଁ ରାଜ୍ୟ ସରକାର ହବିଷ୍ୟାଳି ଯୋଜନା ରମ୍ଭ କରିଛନ୍ତି। ହବିଷ୍ୟାଳି ଯୋଜନା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଚୂଡାନ୍ତ ବୈଠକ ହୋଇଛି। ହବିଷ୍ୟାଳୀ ମାନଙ୍କ ଆଗମନ, ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏହି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି।

ସମୁଦାୟ ୫ଟି ହବିଷ୍ୟାଳି କେନ୍ଦ୍ର ଯଥା ବୃନ୍ଦାବତି ନିବାସରେ ୧୬୫୦ ଜଣ, ମୋଚିସାହି କଲ୍ୟାଣମଣ୍ଡପରେ ୫୮୦ ଜଣ, ଅକ୍ଷୟପାତ୍ର ଫାଉଣ୍ଡେସନରେ ୪୫୦ ଜଣ, ବଗଲା ଧର୍ମଶାଳାରେ ୧୫୦ ଜଣ ଓ ବାଗେଡିଆ ଧର୍ମଶାଳାରେ ୧୮୦ ଜଣ ହବିଷ୍ୟାଳି ମାଆ ମାନେ ବ୍ରତ ପାଳନ କରିବେ। ମାଆ ମାନଙ୍କର ରହଣି ସମୟରେ ଯେପରି କୌଣସି ଅସୁବିଧା ବା ସମସ୍ୟା ନହୁଏ ସେଥିପ୍ରତି ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।

ବୈଠକରେ ହବିଷ୍ୟାଳିଙ୍କ ରହଣି, ପୂଜା, ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତ୍ତନ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା, ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ, ସ୍ୱେଚ୍ଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି। ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ୩ ହଜାର ୫୦ ଜଣ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫ ଜଣ, ଗଞ୍ଜାମରୁ ୩୮୫ ଜଣ, ନୟାଗଡ଼ରୁ ୩୧୦ ଅନ୍ୟାନ୍ୟ ଜିଲ୍ଲାରୁ ହବିଷ୍ୟାଳି ମାନେ ପଞ୍ଜୀକରଣ କରିଛନ୍ତି।

Leave A Reply

Your email address will not be published.