Odisha Link
Bridging the Missing Links in Odisha

ବିଶାଖାପାଟଣା-ରାୟଗଡ଼ା ଟ୍ରେନ ଦୁର୍ଘଟଣା: ବଢୁଛି ମୃତ୍ୟୁ ସଂଖ୍ୟା

ଓଏଲ୍ ବ୍ୟୁରୋ: ପିଛା ଛାଡୁନି ରେଳ ଦୁର୍ଘଟଣା। ବାହାନଗା ଦୁର୍ଘଟଣା ପରେ ପୁଣି ଏକ ଛାତି ଥରା ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା।ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଦୁର୍ଘଟଣା ହୋଇଥିଲା।ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍‌ଠାରୁ ୨୦୦ ମିଟର ଦୂରରେ ପଲାସା ପାସେଞ୍ଜର ଟ୍ରେନ୍‌ଟି ଛିଡ଼ା ହୋଇଥିଲା। ଠିକ୍‌ ସେହି ସମୟରେ ସେହି ଟ୍ରାକ୍‌ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ଟି ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍‌କୁ ପଳାଇ ଯାଇଥିଲା। ଠିକ୍‌ ସେହି ସମୟରେ ଆସୁଥିବା ମାଲ୍‌ବାହୀ ଗାଡି ବଗି ଦୁଇଟିକୁ ଧକ୍କା ଦେଇଥିଲା। ସେପଟେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

Leave A Reply

Your email address will not be published.