Odisha Link
Bridging the Missing Links in Odisha

ଆଜି ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ଆଜି ଦିନ ୧୧ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହାପୂର୍ବରୁ ସକାଳ ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ରଘୁବର ଦାସ।

ଏହାପୂର୍ବରୁ ସେ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଆଉ ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଅନ୍ୟ ରାଜ୍ୟ ପଦାଧିକାରୀ ତାଙ୍କୁ ସ୍ବାଗତ କରିଥିଲେ।

ଗତକାଲି ଶ୍ରୀଜିଉଙ୍କ ଦର୍ଶନ ପରେ ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। ମୁଁ ଭାଗ୍ୟବାନ ଯେ ମୋତେ ଜଗତର ପିତା ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ଲୋକଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଶ୍ରୀଜଗନ୍ନାଥ ଗରିବଙ୍କ ଦେବତା। ଏତିକି ମାଗିଛି, ଓଡ଼ିଶାରେ ଯେଉଁ ଗରିବ, ଶୋଷିତ, ନିଷ୍ପେସିତ ପରିବାର ଅଛନ୍ତି, ସେମାନଙ୍କ ଉନ୍ନତି ହେଉ। ମହାପ୍ରଭୁ ସେମାନଙ୍କ ଜୀବନରେ ସୁଖଶାନ୍ତି ଭରି ଦିଅନ୍ତୁ, କୃପା ବର୍ଷା କରନ୍ତୁ।

ଏଥିସହିତ ସେ ଆହୁରି କହିଛନ୍ତି, ଭାରତ ଏକ ଆଧ୍ୟାତ୍ମିକ ଦେଶ, ଦେଶ ଭିତରେ ଓଡ଼ିଶା ହେଉଛି ଏକ ଆଧ୍ୟାତ୍ମିକ ରାଜ୍ୟ। ଭାରତ ପୁଣିଥରେ ବିଶ୍ବଗୁରୁ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଧ୍ୟାତ୍ମିକ କ୍ଷେତ୍ରର ବିକାଶ କରୁଛନ୍ତି। ସନାତନ ଧର୍ମ ଯାହା ଆଦିକାଳ ଅନନ୍ତ, ତାହା ଆଜି ସାରା ବିଶ୍ବର ଆଦର୍ଶ ପାଲଟିଛି। ଓଡ଼ିଶାବାସୀଙ୍କ ବିକାଶ ମୋର ପ୍ରମୁଖ ଲକ୍ଷ୍ୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

Leave A Reply

Your email address will not be published.