ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜେଡିର ବରିଷ୍ଠ ନେତା ରଜନୀକାନ୍ତ ସିଂହ। ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ସିଂହଙ୍କୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଜଣାପଡ଼ିଛି।
ସୂଚନାଥାଉକି, ବିଜେଡି ଗତ ୫ମାସ ପୂର୍ବରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ପଦରୁ ପ୍ରତ୍ୟାହାର କରିନେଇଥିଲା। ସେହିପରି ସମାନ ଢଙ୍ଗରେ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପଦରୁ ଇସ୍ତଫା ଦେବାକୁ ବିଜେଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଦଳ ରଜନୀକାନ୍ତ ସିଂହଙ୍କ ଉପରେ ଭରସା କରିଛି। ଗତ ଦୁଇଦିନ ତଳେ ତାଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି।
ମିଳିଥିବା ସୂଚନା ମୁତାବିକ, ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଅନୁଗୁଳ ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ ବିଜେଡିର ସଂଗଠନ କ୍ରମାଗତ ଦୁର୍ବଳ ହେଉଛି । ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଆଧାରରେ ବିଜେଡି ତାଙ୍କୁ ଉପବାଚସ୍ପତି ପଦରୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିଲା।ଶ୍ରୀ ସିଂହ ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ମଧ୍ୟ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା କ୍ଷୀଣ। ତେବେ ରଜନୀକାନ୍ତ ସିଂହଙ୍କ ସ୍ଥାନରେ କିଏ ହେବ ଉପବାଚସ୍ପତି ତାକୁ ନେଇ ଆରମ୍ଭ ହୋଇସାରିଲାଣି ଚର୍ଚ୍ଚା।