ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ; ଆଜିଠୁ ଭୁବନେଶ୍ବରରେ ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ
ଓଏଲ୍ ବ୍ୟୁରୋ: ଆଜିଠୁ ଭୁବନେଶ୍ବରରେ ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଦେବା ପାଇଁ ମିଲେଟ୍ ସମ୍ମିଳନୀ ଆୟୋଜନ କରାଯାଇଛି। ଆଧୁନିକ ଯୁଗର ଆହ୍ବାନ ନିମନ୍ତେ ପ୍ରାଚୀନ ଶସ୍ୟ ମିଲେଟସ୍ ଭାବେ ସମ୍ମିଳନୀର ବିଷୟବସ୍ତୁ ରହିଛି। ଓଡ଼ିଶା ମିଲେଟ୍ ମିଶନକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ଆୟୋଜନ କରୁଛି।
ଭୁବନେଶ୍ବରର ଜନତା ମଇଦାନରେ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ଆୟୋଜନ ହେଉଛି। ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ରାଉଣ୍ଡ ଟେବୁଲ ବୈଠକ, ବିଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ୍ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ। ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ସହ ଘରେ ଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି। ଜାତିସଂଘର ବିଭିନ୍ନ ସଂସ୍ଥା, କୃଷି ସଂଗଠନ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ।