Odisha Link
Bridging the Missing Links in Odisha

ଟନେଲ ଭୁଶୁଡ଼ିବା ଘଟଣା: ଏଯାଏଁ ଜୀବନ ସହ ଲଢ଼ୁଛନ୍ତି ଫସିରହିଥିବା ଶ୍ରମିକ

ଓଏଲ୍‌ ବ୍ୟୁରୋ: ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଟନେଲରେ ୪୦ ଶ୍ରମିକ ଫସି ରହିଛନ୍ତି। ଫସିରହିଥିବା ୪୦ ଶ୍ରମିକଙ୍କ ତାଲିକା ଜାରି କଲା ପ୍ରଶାସନ। ଏହି ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ। ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ବୋଲି ଖବର ମିଳିଛି। ଗତକାଲି ଠାରୁ ଏହି ଶ୍ରମିକମାନେ ଫସି ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ୫ ଓଡ଼ିଆ ଶ୍ରମିକ ହେଲେ ତପନ ମଣ୍ଡଳ, ଭଗବାନ ପତ୍ରା, ବିଶ୍ବେଶ୍ବର ନାୟକ, ରାଜୁ ନାୟକ ଓ ଧୀରେନ୍।

ସେମାନଙ୍କ ମଧ୍ୟରେ ୩ ଜଣ ଶ୍ରମିକ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣା ପଡିଛି।ଫସିଥିବା ଶ୍ରମିକଙ୍କୁ ବାହାର କରିବାକୁ ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି। ଏବେ ଟନେଲର ୨୦୫ ମିଟର ଦୂରତାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ୨୭୦ ମିଟର ପାଖାପାଖି ଦୂରତାରେ ଶ୍ରମିକ ଫସିଛନ୍ତି। ତେବେ ସମସ୍ତ ୪୦ ଶ୍ରମିକ ସୁରକ୍ଷିତ ଥିବା ଜଣା ପଡ଼ିଛି। ଉଦ୍ଧାର କାର୍ଯ୍ୟ ଚାଲିଛି, କିଛି ପ୍ରତିକୂଳ ସ୍ଥିତି ପାଇଁ ମନ୍ଥର ହେଉଛି। ଶ୍ରମିକମାନେ ସୁରକ୍ଷିତ ଅଛନ୍ତି, ଖାଦ୍ୟ ଓ ଅମ୍ଳଜାନ ଦିଆଯାଉଛି ବୋଲି ସୂଚନା ଜାରି ହୋଇଛି।

ସୂଚନା ଅନୁସାରେ, ଗତକାଲି ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା। ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବର ଏହି ଟନେଲର ୧୫୦ ମିଟର ଭାଗ ଦବି ଯାଇଥିଲା। ଏହି ଟନେଲ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିଲା। ଚାରଧାମ ରୋଡ୍ ପ୍ରୋଜେକ୍ଟରେ ଏହି ଟନେଲ ନିର୍ମାଣ କରାଯାଉଛି, ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇ ପାରିବ। ଉତ୍ତରକାଶୀ ଟନେଲରେ ଧସିବା ଘଟଣାରେ ରେସ୍କ୍ୟୁ ଅପରେସନ ଜାରି ରହିଛି।।

Leave A Reply

Your email address will not be published.