Odisha Link
Bridging the Missing Links in Odisha

ଭକ୍ତଙ୍କ ପାଇଁ ବଡ଼ ଖବର: ବନ୍ଦ ହେଲା କେଦାରନାଥ ମନ୍ଦିର!

ଓଏଲ୍‌ ବ୍ୟୁରୋ: ପ୍ରଭୁ କେଦାରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ବଡ଼ ଖବର। ଶୀତ ଆରମ୍ଭରୁ ବନ୍ଦ ହେଲା କେଦାରନାଥ ମନ୍ଦିର। ପଞ୍ଚାଙ୍ଗ ଆଧାରରେ ନିଷ୍ପତ୍ତି ନିଆଯାଇଥିବାବେଳେ ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁଯାୟୀ ନିର୍ଣ୍ଣୟ ନିଆଯାଏ। ଶୀତ ଆଗମନ ସମୟରେ କେଦାରନାଥ ଧାମରେ ପ୍ରଭୁ କେଦାରନାଥଙ୍କ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି। ଏହା ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି।

କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଣ୍ଡବମାନଙ୍କ ଦ୍ୱାରା ନିର୍ମିତ ହେଇଥିଲା। ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରାଇଥିଲେ। ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିର୍ମିତ। ଏଠାରେ ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି। ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି। ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ ଫୁଟ, ଚଉଡ଼ାରେ ପ୍ରାୟ ୪ ଫୁଟ ଓ ଉଚ୍ଚତାରେ ୪ଫୁଟ।

ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ ନିର୍ବାଣ ଦର୍ଶନ କୁହାଯାଏ। ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି। ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରାଇଥାନ୍ତି। ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ ଶୃଙ୍ଗାର ଦର୍ଶନ କୁହାଯାଏ। ଶୃଙ୍ଗାର ଦର୍ଶନ ସମୟରେ ଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା। ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ। ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ। ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା ରାକ୍ଷୀ ପୂର୍ଣ୍ଣିମା ପୂର୍ବଦିନ ପାଳନ କରାଯାଏ।

Leave A Reply

Your email address will not be published.