ବାତ୍ୟା ‘ମିଗ୍ଜାଉଁ’ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ; ସତର୍କତା ଜାରି କଲା ପାଣିପାଗ ବିଭାଗ

ଓଏଲ୍ ବ୍ୟୁରୋ: ତାଣ୍ଡବ ରଚିଛି ବାତ୍ୟା ‘ମିଗ୍ଜାଉଁ’। ଭୀଷଣ ବାତ୍ୟା ‘ମିଗ୍ଜାଉଁ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ତେବେ ଏନେଇ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ନିର୍ଦ୍ଦେଶ ଦେଇଛି।
ବାତ୍ୟା ପ୍ରଭାବରେ ଚେନ୍ନାଇ ସ୍ଥିତି ବେହାଲ ହୋଇପଡିଛି। ବନ୍ୟା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଛି। ବାତ୍ୟା ପ୍ରଭାବରେ ଭୁବନେଶ୍ବରରୁ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଗୋଟିଏ ଲେଖାଏଁ ବିମାନ ବାତିଲ ହୋଇଛି।ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ରାସ୍ତାଘାଟ, ବିମାନ ବନ୍ଦର ଓ ବସ୍ ଟର୍ମିନାଲ ଜଳାର୍ଣ୍ଣବ ହୋଇଛି। ୩୦ଟି ବିମାନ ଓ ଶହେରୁ ଅଧିକ ଟ୍ରେନ୍ ବାତିଲ୍ ସୂଚନା ରହିଛି।
ବାତ୍ୟା ‘ମିଗ୍ଜାଉଁ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆହୁରି ବର୍ଷାର ପରିମାଣ ବଢିବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତିରେ କାଲି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିଭଳି ବାତ୍ୟା ‘ମିଗ୍ଜାଉଁ’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବହିବାର ଆଶଙ୍କା ରହିଥିବାବେଳେ ଏହା ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାରେ ୧୧୫. ୬ ମିଲିମିଟର ବର୍ଷା ହୋଇଥିବା ସୂଚନା ରହିଛି। ନାରାୟଣପାଟଣା ଓ ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।