Odisha Link
Bridging the Missing Links in Odisha

୩ ରାଜ୍ୟରେ ବିଜେପିର ବାଜିମାତ; ବିଜୟୀ ହେବା ପରେ ପର୍ଯ୍ୟବେକ୍ଷକ ନାମ ଘୋଷଣା

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ଆସିଗଲା ସେମିଫାଇନାଲ ଫଳାଫଳ। ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସରକାର ବିଜୟୀ ହୋଇଛି।

ବିଜେପି ବିଜୟୀ ହୋଇଥିବା ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ଦଳ। ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ପାଇଁ ପର୍ଯ୍ୟବେକ୍ଷକ ବିଜେପି ନିଯୁକ୍ତ କରିଛି। ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାବଡେ ଓ ସରୋଜ ପାଣ୍ଡେଙ୍କୁ ପର୍ଯ୍ୟବେକ୍ଷକ ଭାବେ ବାଛିଚି। ସେହିଭଳି ମଧ୍ୟପ୍ରଦେଶ ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ।

ଛତିଶଗଡ ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ବିଜେପି। ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନେୱାଲ ଓ ଦୁଷ୍ୟନ୍ତ ଗୌତମଙ୍କୁ ଦଳ ଗୁରୁଦାୟିତ୍ୱ ଦେଇଛି। ୩ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ମାନେ ବିଜେପିର ବିଧାୟକଙ୍କ ସହ ଆଲୋଚନା କରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କୁ ରିପୋର୍ଟ ଦେବେ। ଯାହା ଆଧାରରେ ଦଳ ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ।

ସୂଚନା ଅନୁସାରେ, ଛତିଶଗଡ଼ ବିଧାନସଭା ଫଳାଫଳ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଛି। ଏହାପୂର୍ବରୁ ସେଠାରେ କଂଗ୍ରେସର ସରକାର ଥିଲା। ଭାରତୀୟ ଜନତା ପାର୍ଟି ୫୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳ ୩୬ଟି ଆସନରେ ବିଜୟୀ ହୋଇଛି। ବହୁମତ ପାଇଥିବା ବିଜେପି ଆଗାମୀ ସରକାର ଗଠନ କରିବା ପାଇଁ ଆରମ୍ଭ କରିସାରଛନ୍ତି ରଣନୀତି।

ସେହିପରି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଲ ଭାରତୀୟ ଜନତା ପାର୍ଟି ସପକ୍ଷରେ ହିଁ ଯାଇଛି। ବିଜେପି ୧୬୬ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୩ଟିରେ ବିଜୟୀ ହୋଇଛି। ସେହିପରି ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ଏହାପୂର୍ବରୁ ମଧ୍ୟପ୍ରଦେଶରେ ବିଜେପି ହିଁ ସରକାର ଗଠନ କରିଥିଲା।

ଚଳିତଥର ସବୁଠୁ ଚର୍ଚ୍ଚାରେ ଥିଲା ରାଜସ୍ଥାନ ବିଧାନସଭା ନିର୍ବାଚନ। ସେଠାରେ କଂଗ୍ରେସ ସରକାର ଜୋରଦାର ଟକ୍କର ଦେଇ ବିଜେପି ନିଜ ହାତକୁ ଶାସନ ଦାୟିତ୍ବ ଆଣିଛି। ବିଜେପି ୧୧୪ଟି ଆସନ ଜିତି ସରକାର ଗଠନ କରିବା ପାଇଁ ଆରମ୍ଭ କରିସାରିଲାଣି ଭବ୍ୟ ଆୟୋଜନ। କଂଗ୍ରେସ ଦଳ ୭୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନାନ୍ୟ ଦଳ ୧୨ଟି ଆସନରେ ବିଜୟୀ ହୋଇଛନ୍ତି।

ସବୁଠୁ ବଡ଼ କଥା ହେଲା ୩ଟି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବିଜେପି ଏବେ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିଜେପି ତାର ନିଷ୍ପତ୍ତିରେ ସମସ୍ତଙ୍କୁ ଚକିତ କରିପାରେ। କାରଣ ବିଗତ କିଛି ବର୍ଷରେ ହୋଇଥିବା ନିର୍ବାଚନ ଯଥା, ଗୋଆ, ଛତିଶଗଡ଼, ମହାରାଷ୍ଟ୍ର, ୟୁପି, ହରିୟାଣା, ତ୍ରିପୁରା ରେ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ। ଠିକ୍‌ ସେହିଭଳି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିରୋଧୀଙ୍କୁ ଆଉ ଏକ ମାଷ୍ଟରଷ୍ଟ୍ରୋକ୍‌ ଦେବା ପାଇଁ ବିଜେପି ପ୍ରସ୍ତୁତି କରୁଥିବା ରାଜନୈତିଜ୍ଞ ବିଶେଷଜ୍ଞ ମତ ରଖିଛନ୍ତି।

Leave A Reply

Your email address will not be published.