Odisha Link
Bridging the Missing Links in Odisha

ସଂସଦର ସୁରକ୍ଷାରେ ତ୍ରୁଟି ପରେ କଡ଼ା କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୭ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଥିଲେ। ସଂସଦ ଆକ୍ରମଣର ୨୨ ତମ ବାର୍ଷିକୀରେ ଘଟିଛି ଅଘଟଣ। ଏହି ଘଟଣା ପରେ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଥିଲା। ଏହି ଘଟଣା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକସଭା ସଚିବାଳୟର ୭ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।

ନିରାପତ୍ତା ଉଲ୍ଲଂଘନ ହେବା ପରେ ଗୃହରେ ହୋହଲ୍ଲା ସୃଷ୍ଟି ହୋଇଥିଲା। ତେବେ ସଂସଦ ପରିସରରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ହଙ୍ଗାମା ଘଟଣାରେ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌। ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ। ଏହା ସହ ସଂସଦର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମକର ଦ୍ୱାର ଦେଇ କେବଳ ସାଂସଦଙ୍କୁ ପ୍ରବେଶ ଅନୁମତି ମିଳୁଛି।

ଏହା ସହ ବୁଧବାର ନୂଆ ସଂସଦ ଗୃହରେ ସୁରକ୍ଷାରେ ତ୍ରୁଟି ଦେଖା ଦେବା ପରେ ସୁରକ୍ଷାରେ ବଦଳିଲା ନିୟମ। ଏବେ ସଂସଦ ଭବନକୁ ଭିଜିଟର୍ସମାନଙ୍କ ନଆସିବାକୁ ବାରଣ କରାଯାଇଛି। ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି।

ଆଜିଠାରୁ ସାଂସଦ, କର୍ମଚାରୀ ଏବଂ ଗଣମାଧ୍ୟମ ସହ ଜଡିତ ଲୋକମାନେ ବିଭିନ୍ନ ସୁରକ୍ଷା ଫାଟକ ଦେଇ ସଂସଦ ଭବନରେ ପ୍ରବେଶ କରିବେ। ଏହାବ୍ୟତୀତ, ଯେତେବେଳେ ଭିଜିଟର୍ସମାନେ ପୁନର୍ବାର ଆସିବା ଆରମ୍ଭ କରିବେ, ସେମାନେ ପୁରୁଣା ଫାଟକ ଦେଇ ପ୍ରବେଶ କରିପାରିବେ ନାହିଁ। ପରିଦର୍ଶକମାନେ ଏବେ ଚତୁର୍ଥ ଫାଟକରୁ ସଂସଦ ଭବନରେ ପ୍ରବେଶ କରିବେ। ପରବର୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଭିଜିଟର୍ସ ପାସ୍ ପ୍ରଦାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି।

ସେହିପରି ଯେଉଁ ଭିଜିଟର୍ସମାନେ ଆସିବେ ଆଉ ଗ୍ୟାଲେରୀରେ ବସିବେ। ତାହା ସମ୍ପୂର୍ଣ୍ଣ କାଚରେ ଆଚ୍ଛାଦିତ ହେବ। ସେହିପରି ସମାନ ପ୍ରକାରର ବଡି ସ୍କାନର୍ ଯାହା ବିମାନବନ୍ଦରରେ ରହିଛି ତାହା ସଂସଦ ଗୃହରେ ମଧ୍ୟ ସ୍ଥାପନ କରାଯିବ।

Leave A Reply

Your email address will not be published.