Odisha Link
Bridging the Missing Links in Odisha

ବିଦୁଷୀ ସଂଗୀତା ପଣ୍ଡାଙ୍କ ପୁସ୍ତକ ‘ଫ୍ରମ୍‌ ଉଡ୍ର ଟୁ ଓଡ଼ିଶୀ’ ଉନ୍ମୋଚିତ

ଗୁରୁ, ଗାୟକ, ଗବେଷକ ଓ ସରକାରଙ୍କ ମିଳିତ ଉଦ୍ୟମ ଦ୍ବାରା ଓଡ଼ିଶୀ ସଂଗୀତ ଅଚିରେ ଶାସ୍ତ୍ରୀୟ ମାନ୍ୟତା ପାଇବ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା “ଫ୍ରମ୍‌ ଉଡ୍ର ଟୁ ଓଡ଼ିଶୀ”। ବିଶିଷ୍ଟ ସଂଗୀତ ଗୁରୁ ବିଦୂଷୀ ସଂଗୀତା ପଣ୍ଡାଙ୍କ ଗବେଷଣା ଗ୍ରନ୍ଥ ‘ଫ୍ରମ୍‌ ଉଡ୍ର ଟୁ ଓଡ଼ିଶୀ’ ଉନ୍ମୋଚନ ଉତ୍ସବରେ ଅତିଥିମାନେ ଯୋଗ ଦେଇ କହିଛନ୍ତି, ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାବେଳେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ନମିଳିବା ଆମର ସାମୂହିକ ବିଫଳତା। ଗୁରୁ, ଗାୟକ, ଗବେଷକ ଓ ସରକାର ମିଳିତ ଭାବେ ଉଦ୍ୟମ କଲେ ସଂଗୀତକୁ ଅଚିରେ ଶାସ୍ତ୍ରୀୟ ମାନ୍ୟତା ମିଳିପାରିବ ବୋଲି ମତବ୍ୟକ୍ତ କରିଛନ୍ତି।

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ଏ ପୁସ୍ତକକୁ ଉନ୍ମୋଚନ କରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସଭାପତି ଲେନିନ ମହାନ୍ତି ଶ୍ରୀମତୀ ସଂଗୀତା ପଣ୍ଡାଙ୍କୁ ଗୁରୁ ଗୋପାଳ ପଣ୍ଡାଙ୍କ ପରମ୍ପରାର ଉପଯୁକ୍ତ ଦାୟାଦ ବୋଲି ଘୋଷଣା କରିଥିଲେ। ଶାସ୍ତ୍ରୀୟ ମାନ୍ୟତା ପାଇଁ ଏ ବହି ବେଶ୍‌ ସହାୟକ ହେବ ଓ ସରକାରୀ ସ୍ତରରେ ସେ ଏଥିପାଇଁ ପ୍ରୟାସ କରିବେ ବୋଲି ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ।

ସଙ୍ଗୀତଶାସ୍ତ୍ରବିତ୍ କୀର୍ତ୍ତନ ନାରାୟଣ ପାଢ଼ୀ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ମାନ୍ୟତା ଆନ୍ଦୋଳନରେ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀର ବିଶିଷ୍ଟ ଅବଦାନକୁ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ। ଐତିହାସିକ ଅନିଲ ଧୀର ବିଶ୍ଵର ସର୍ବ ପୁରାତନ ବାଦ୍ୟ ଯନ୍ତ୍ର ଓଡ଼ିଶାରୁ ମିଳିଥିବା ପ୍ରକାଶ କରି ଓଡ଼ିଶୀ ସଙ୍ଗୀତର ସୁଦୀର୍ଘ ପରମ୍ପରାକୁ ସୂଚିତ କରିଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତି ଇଂରାଜୀ ଭାଷାରେ ଓଡ଼ିଶୀ ସଙ୍ଗୀତ ବିଷୟରେ ପୁସ୍ତକ ରଚନା ନିତାନ୍ତ ଆବଶ୍ୟକ ବୋଲି କହି ଉକ୍ତ ପୁସ୍ତକକୁ ସ୍ବାଗତ କରିଥିଲେ। ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷା, ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଶୀ ସଙ୍ଗୀତ ତ୍ରୟର ପୂର୍ଣ୍ଣାଙ୍ଗ ଶାସ୍ତ୍ରୀୟ ଲକ୍ଷଣ ରହିଥିବା କହିଥିଲେ। ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ସୁପୁତ୍ରୀ ସଂଗୀତାଙ୍କୁ ଆଶୀର୍ବାଦ ଦେଇଥିଲେ।

ସଭା ଆରମ୍ଭରେ ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରାମ୍ଭିକ ସୂଚନା ଦେଇ ଓଡ଼ିଶୀ ସଙ୍ଗୀତ ବିଷୟକ ଦୁର୍ଲ୍ଲଭ ଇଂରାଜୀ ପୁସ୍ତକ ପ୍ରକାଶନ କରି ଅନୁଷ୍ଠାନ ଗର୍ବିତ ବୋଲି କହିଥିଲେ। ଲେଖିକା ଓ ଓଡ଼ିଶୀ ସଙ୍ଗୀତ ବିଦୁଷୀ ଶ୍ରୀମତୀ ସଂଗୀତା ପଣ୍ଡା ପୁସ୍ତକ ରଚନାର ପୃଷ୍ଠଭୂମି ପ୍ରଦାନ କରି ଏହାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ପକ୍ଷରୁ ସରିତା ପଣ୍ଡା ମଞ୍ଚ ପରିଚାଳନା କରିଥିବୋବେଳେ ଶୃତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୁସ୍ତକରେ ଓଡ଼ିଶୀ ସଂଗୀତର ଇତିହାସ, ପରମ୍ପରା, ରାଗରାଗିଣୀ ଆଦି ସମ୍ପର୍କରେ ସାମଗ୍ରିକ ପରିଚୟ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ବିଦୁଷୀ ସଂଗୀତା ପଣ୍ଡା ଓ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀର ଛାତ୍ରଛାତ୍ରୀଗଣ ରାଗ ଗୁଣ୍ଡକେରୀ, ରାମକେରୀ, ମଙ୍ଗଳଗୁଜ୍ଜରୀରେ ନିବଦ୍ଧ ଗୀତଗୋବିନ୍ଦ ପରିବେଷଣ କରିଥିଲେ।

Leave A Reply

Your email address will not be published.