ଓଡ଼ିଶାର ସାମଗ୍ରିକ ବିଭବକୁ ନେଇ ପ୍ରବନ୍ଧ ସଂଚୟନ ‘ଏସେନ୍ସିଆଲ ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ, ରାଜନୈତିକ ଆକ୍ରମଣ, ଅର୍ଥନୈତିକ ବିପତ୍ତି ଓ ସାଂସ୍କୃତିକ ଅବଦମନ ସତ୍ତ୍ବେ ଓଡ଼ିଆ ଜାତି ସଗର୍ବେ ମୁଣ୍ଡଟେକି ରହିଛି। କୌଣସି ପ୍ରତିକୂଳତା ଓଡ଼ିଶାକୁ ଭାଙ୍ଗିପାରିନାହିଁ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଇଂରାଜୀ ପୁସ୍ତକ ‘ଏସେନ୍ସିଆଲ ଓଡ଼ିଶା’ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ବହି ପର୍ବରେ ସାମିଲ ହେଲା ‘ଏସେନ୍ସିଆଲ ଓଡ଼ିଶା’।
ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଲେ ଯେ ଓଡ଼ିଶାବାସୀ ନିଜର ଡିଣ୍ଡିମ ନପିଟି ମଧ୍ୟ ଆଜି ସବୁ କ୍ଷେତ୍ରରେ ପ୍ରଶଂସା ସାଉଟୁଛନ୍ତି। ଏ ବହି ପ୍ରକାଶନ ମାଧ୍ୟମରେ ପେନ୍ ଇନ୍ ବୁକ୍ସ ଏକ ଜାତୀୟ କାର୍ଯ୍ୟ କରିଛନ୍ତି। ଆଗାମୀ ଦିନରେ ଏଭଳି ଅଧିକ ବହି ପ୍ରକାଶ ପାଇବା ଉଚିତ ବୋଲି ଶ୍ରୀ ଜେନା କହିଥିଲେ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ କହିଥିଲେ ଯେ ଇଂରାଜୀରେ ଓଡ଼ିଶା ବାବଦରେ ଅଧିକରୁ ଅଧିକ ବହି ଲେଖାଯିବା ଉଚିତ। ଗୋଟିଏ ଜାତି ବାବଦରେ ବହିଟିଏ ଲେଖିବାବେଳେ ତିନୋଟି ଦିଗ ଗୁରୁତ୍ବପୂର୍ଣ; ଜାତିର ଅନ୍ତର୍ନିହିତ ଚେତନା, ପ୍ରକାଶ୍ୟ ବିଭବ ଓ ଅନୁନ୍ମୋଚିତ ଦିଗ। ସେ ଦୃଷ୍ଟିରୁ ‘ଏସେନ୍ସିଆଲ ଓଡ଼ିଶା’ ଏକ ସଫଳ ବହି ବୋଲି ସେ ମତ ଦେଇଥିଲେ। ଓଡ଼ିଶା ବାହାରେ ଓଡ଼ିଶାବାସୀ ନିଜର ଡିଣ୍ଡିମ ନିଜେ ପିଟିବା ଉଚିତ ବୋଲି ଶ୍ରୀ ଦାସ ପରାମର୍ଶ ଦେଇଥିଲେ।
ପୁସ୍ତକଟିକୁ ସଂପାଦନା କରିଛନ୍ତି ଭାସ୍କର ପରିଚ୍ଛା ଓ ଚାରୁଦତ୍ତ ପାଣିଗ୍ରାହୀ। ପୁସ୍ତକ ବାବଦରେ ସୂଚନା ଦେଇ ଶ୍ରୀ ପରିଚ୍ଛା କହିଥିଲେ ଯେ ଓଡ଼ିଶାର ସାମଗ୍ରିକ ବିଭବକୁ ନେଇ ଇଂରାଜୀ ଭାଷାରେ ଏ ପ୍ରୟାସ ପ୍ରଥମ। ବୟୋଜ୍ୟେଷ୍ଠ ଗବେଷକଙ୍କଠାରୁ ଆରମ୍ଭ କରି ଯୁବ ଲେଖକଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ବ୍ୟକ୍ତିତ୍ବ ଏ ବହିରେ ଆଲେଖ ଲେଖିଛନ୍ତି। ଧନ୍ୟବାଦ ଓ ଉପସଂହାର ବକ୍ତବ୍ୟରେ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏ ଜାତିର ଆଧାର। ଓଡ଼ିଶା ପ୍ରକୃତି ଓ ପ୍ରଗତିକୁ ସନ୍ତୁଳିତ କରି ଆଗେଇ ଚାଲିଛି ବୋଲି ସେ କହିଥିଲେ।
ଉତ୍ସବରେ ସଭାପତିତ୍ବ କରିଥିଲେ ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ତଥା ଲେଖକ ଶୁଭ୍ରାଂଶୁ ପଣ୍ଡା। ବହିଟିକୁ ଓଡ଼ିଆ ଜାତି ପ୍ରତି ସମର୍ପିତ କରି ସେ କହିଲେ ଯେ ଓଡ଼ିଶାର ଗୌରବ ବଢ଼ାଇବା ପାଇଁ ଯେକୌଣସି ପୁସ୍ତକର ପ୍ରସ୍ତାବକୁ ପେନ୍ ଇନ୍ ବୁକ୍ସ ସ୍ବାଗତ କରେ।