Odisha Link
Bridging the Missing Links in Odisha

ବଡ଼ ଖବର: ଫେବୃୟାରୀରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି।ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୨୪ ଫେବୃଆରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ଐତିହ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର।

ଶ୍ରୀ ପାତ୍ର କହିଛନ୍ତି, କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ରାଜ୍ୟ ରାଜଧାନୀ ଭୁବନେଶ୍ବରଠାରେ ପ୍ରଥମ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରାଯିବ। ୨୦୨୪ ମସିହା ଫେବୃଆରୀ ମାସରେ ତିନି ଦିନ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରାଯିବ।

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ, ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରେ ଥିବା ଭାଷାବିତ୍ ଓ ଗବେଷକମାନଙ୍କୁ ଆମନ୍ତ୍ରଣ କରାଯିବ। ଏଥିରେ କେବଳ ଓଡ଼ିଆ ଭାଷା ନୁହେଁ ଓଡ଼ିଶାରେ ବ୍ୟବହୃତ ହେଉଥିବା ସମସ୍ତ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଦିଗରେ ଅଧିକ କ’ଣ ପଦକ୍ଷେପ ନିଆଯାଇପାରିବ ତା’ଉପରେ ବିସ୍ତୃତ ଆଲୋଚନା ହେବ। ସମ୍ମିଳନୀକୁ ଆସିଥିବା ଗବେଷକ ଓ ବିଶେଷଜ୍ଞମାନଙ୍କ ମତାମତ ସଂଗ୍ରହ କରାଯିବ। ଭାଷା ବୈଜ୍ଞାନିକମାନଙ୍କୁ ମଧ୍ୟ ନିଜର ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରିବାର ସୁଯୋଗ ମିଳିବ।

ଏହି ସମ୍ମିଳନୀ ସମୟରେ ଶିକ୍ଷାନୁଷ୍ଠାନ/ବିଶ୍ବବିଦ୍ୟାଳୟମାନେ ନିଜନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ। ଏହି “ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ” ଆୟୋଜନ ଦ୍ବାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ବରାନ୍ବିତ ହେବ । ଏତଦ୍ ବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନରେ ଉକ୍ତ ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ।

ଏହି ୩ଦିନିଆ ସମ୍ମିଳନୀରେ ସଂସ୍କୃତି ବିଭାଗ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ପ୍ରମୁଖ ବିଭାଗଗୁଡ଼ିକ ସାମିଲ ହେବେ।ବିଶ୍ୱରେ ରହୁଥିବା ବିଭିନ୍ନ ଓଡ଼ିଆ ସଂଗଠନ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରୁଥିବା ଗବେଷକ ଓ ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ସମ୍ମିଳନୀରେ ସାମିଲ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।ଖୁବଶୀଘ୍ର ସରକାରୀସ୍ତରରେ ବୈଠକ ବସି କେବେ ଏହି ସମ୍ମିଳନୀ ହେବ ତା’ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.