Odisha Link
Bridging the Missing Links in Odisha

୨୭ ବର୍ଷରେ ପାଦ ଥାପିଲା ବିଜେଡି; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ୨୭ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ(ବିଜେଡି)। ଆଜି ଦଳକୁ ୨୬ ପୂରି ୨୭ ଚାଲିଲା। ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହେବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିପରି ବିଭିନ୍ନ ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ପ୍ରତିଷ୍ଠା ଦିବସକୁ ପାଳନ କରାଯିବ। ଏହି ଅବସରରେ ଦଳର କର୍ମୀ ଓ ନେତାଙ୍କ ଉଦେଶ୍ୟରେ କିଛି ବଡ ଘୋଷଣା କରିପାରନ୍ତି ନବୀନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସହ ଦଳର ସମସ୍ତ କର୍ମୀ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଅକୁଣ୍ଠ ସମର୍ଥନ, ମହାପ୍ରଭୁଙ୍କ ଆଶୀର୍ବାଦ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ବିଜେଡିକୁ ଏକ ଆନ୍ଦୋଳନରେ ପରିଣତ କରିଛି। ଆସନ୍ତୁ ଏହି ସମ୍ପର୍କକୁ ଆହୁରି ମଜଭୁତ କରି ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା ବୋଲି ବିଜେଡି ସୁପ୍ରିମୋ ନିଜର ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ଆବିର୍ଭାବ ହୋଇଥିଲା। ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ନିରଙ୍କୁଶ ଭାବେ ଶାସନ କରି ଆସୁଛି ବିଜେଡି। ଏହା ଭିତରେ ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ବତନ୍ତ୍ର ସ୍ଥାନ ପାଇଛି। ଯାହା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିଛି।

Leave A Reply

Your email address will not be published.