Odisha Link
Bridging the Missing Links in Odisha

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲା ନୂଆ ନିର୍ଦ୍ଦେଶକ। ଡକ୍ଟର ମନୋରମା ମହାନ୍ତି ହେଲେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ। ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଏହି ନୂଆ ନିଯୁକ୍ତି ମିଳିଛି। ଡ. ମହାନ୍ତିଙ୍କୁ (ବୈଜ୍ଞାନିକ-ଏଫ୍‌‌) ଗ୍ରେଡ୍‌‌କୁ ପଦନ୍ନୋତି ମିଳିଛି। ସେହିପରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୋଲକାତାକୁ ବଦଳି କରାଯାଇଛି ।

ଓଡ଼ିଶା‌ ଜନ୍ମିତ ଡ. ମହାନ୍ତି ଦୀର୍ଘ ଦିନ ହେବ ଗୁଜୁରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ ପରେ ସେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ରେ ଯୋଗ ଦେଇଥିଲେ। ଆରବସାଗର ଇତିହାସରେ ସବୁଠୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍‌ ଗତିପଥ ଓ ତୀବ୍ରତା ଆକଳନ କରିବାରେ ଡ. ମହାନ୍ତିଙ୍କର ବଡ଼ ଓ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।

ଗୁଜରାଟ ସରକାରଙ୍କ ତରଫରୁ ଡ. ମ‌ହାନ୍ତି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପାଣିପାଗ ଆକଳନ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଓଡ଼ିଶା ଭଳି ଏକ ବାତ୍ୟାପ୍ରବଣ ରାଜ୍ୟରେ ତାଙ୍କର ଏହି ଅଭିଜ୍ଞତା ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରି ଆଇଏମ୍‌ଡି ତାଙ୍କୁ ଏଠାରେ ନିଯୁକ୍ତି ଦେଇଛି।

Leave A Reply

Your email address will not be published.