Odisha Link
Bridging the Missing Links in Odisha

ଫ୍ୟାନ୍ସଙ୍କୁ ଚମକାଇ ଦେଲେ ଓ୍ବାର୍ଣ୍ଣର, ନେଲେ ବଡ଼ ନିଷ୍ପତ୍ତି

ଓଏଲ୍‌ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ବଡ଼ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆନ୍‌ କ୍ରିକେଟର ଡେଭିଡ ଓ୍ବାର୍ଣ୍ଣର। ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଓ୍ବାର୍ଣ୍ଣର। ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ଓ୍ବାର୍ଣ୍ଣର ସିଡ୍‌ନୀରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ଖେଳିବା ପୂର୍ବରୁ ସେ ଦିନିକିଆରୁ ମଧ୍ୟ ଅବସର ଘୋଷଣା କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଦିନିକିଆ କ୍ରିକେଟରୁ ଅବସର ନେଉଛି। ହେଲେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ସେ ଉପଲବ୍ଧ ଥିବା କହିଛନ୍ତି। ଯଦି ଦଳ ତାଙ୍କ ଆବଶ୍ୟକତା ଅନୁଭବ କରେ, ତା’ହେଲେ ସେ ଉପଲବ୍ଧ ରହିବେ ବୋଲି କହିଛନ୍ତି। ସେହିପରି ୱାର୍ଣ୍ଣର ଟିଟ୍ୱେଣ୍ଟିରେ ଖେଳ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।

୧୬୧ଟି ଦିନିକିଆ ମ୍ୟାଚ୍ ଖେଳିଥିବା ୱାର୍ଣ୍ଣର ୪୫.୩୦ ହାରରେ ୬,୯୩୨ ରନ୍ କରିଥିବା ବେଳେ ତା’ ମଧ୍ୟରେ ରହିଛି ୨୨ଟି ଶତକ ଓ ୩୩ଟି ଅର୍ଦ୍ଧଶତକ। ସେହିଭଳି ୧୧୧ଟି ଟେଷ୍ଟ ଖେଳିଥିବା ୱାର୍ଣ୍ଣର ୨୦୩ଟି ଇନିଂସରୁ ୮୬୯୫ ରନ୍ କରିଛନ୍ତି। ୪୪.୬ ହାରରେ ସେ ଏହି ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟରେ ସେ ୨୬ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ମାରିଛନ୍ତି। ସେ ତାଙ୍କ କ୍ୟାରିୟର ୧୧୨ ତମ ତଥା ଶେଷ ଟେଷ୍ଟ ପାକିସ୍ତାନ ବିପକ୍ଷରେ ଆସନ୍ତା ବୁଧବାର ଠାରୁ ଖେଳିବେ।

ସୂଚନାଥାଉକି, ୱାର୍ଣ୍ଣର ୨୦୦୯ରେ ଦିନିକିଆରେ ଡେବ୍ୟୁ କରିଥିଲେ। ତା’ପରଠାରୁ ସେ ନିୟମିତ ଭାବେ ଦଳର ଦିନିକିଆ ଟିମ୍‌ରେ ସ୍ଥାନ ପାଇ ଆସିଥିଲେ। ୨୦୧୫ ଓ ୨୦୨୩ରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ଜିତିଥିବା ବେଳେ ଏଥିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.