ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର, ମାର୍ଚ୍ଚରେ ଘୋଷଣା ହୋଇପାରେ ତାରିଖ

ଓଏଲ୍ ବ୍ୟୁରୋ: ଆରମ୍ଭ ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି। ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି। ଏପରିକି ୨୦୨୪ ସାଧାରଣ ନିର୍ବାଚନର ତାରିଖ ଚଳିତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା ହେବାର ସମ୍ଭାବନା ରହିଛି।
ନିର୍ବାଚନ ଆୟୋଗଙ୍କ ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ପାଇଁ ଆୟୋଗଙ୍କ ଦ୍ବାରା ରାଜ୍ୟୱାରି ଗସ୍ତ କରାଯାଇ ସ୍ଥିତି ସମୀକ୍ଷା କରାଯାଇଥାଏ। ଏହି କ୍ରମରେ ଆୟୋଗ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବେ ଏବଂ ସାଧାରଣ ନିର୍ବାଚନ ସହିତ ଓଡିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ଭଳି ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତି ସଂପର୍କରେ ଅବଗତ ହେବେ। ରାଜ୍ୟମାନଙ୍କ ଦ୍ବାରା ବର୍ତ୍ତମାନ ସୁଦ୍ଧା ନିର୍ବାଚନ ପ୍ରସ୍ତୁତିକୁ ନେଇ ଯେଉଁସବୁ ପଦକ୍ଷେପ ନିଆଯାଇଛି ଏବଂ ଆଗକୁ କେଉଁ ସବୁ ପଦକ୍ଷେପ ନିଆଯିବ ତାହାର ସମୀକ୍ଷା ମଧ୍ୟ ଏହି ସମୟରେ କରାଯିବ।
ଆୟୋଗଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ କାର୍ଯ୍ୟକ୍ରମ ଜାନୁଆରି ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସେହିପରି ୧୫ ତାରିଖରୁ ଆୟୋଗ ସପ୍ତାହେ ବ୍ୟାପି ଦ୍ବିତୀୟ ପର୍ଯ୍ୟାୟ ଗସ୍ତରେ ଯାଇପାରନ୍ତି। ଜାନୁଆରୀ ୨୫ରେ ଇସିଆଇଙ୍କ ନ୍ୟାସନାଲ ଭୋଟର ଡେ କାର୍ଯ୍ୟକ୍ରମ ପରେ ଆୟୋଗଙ୍କ ଶେଷ ପର୍ଯ୍ୟାୟ ଗସ୍ତରେ ଯିବେ।ଫେବ୍ରୁଆରି ତୃତୀୟ ସପ୍ତାହ ସୂଦ୍ଧା ଆୟୋଗଙ୍କ ଗସ୍ତ ଶେଷ ହେବ।
ଓଡ଼ିଶାରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ରହିଥିବାରୁ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଟିମ୍ ଓଡିଶା ଗସ୍ତ କରିପାରନ୍ତି। ଚଳିତ ବର୍ଷ ଜୁନ ୨୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ସାରିବା ପାଇଁ ଆୟୋଗ ତାରିଖ ଧାର୍ଯ୍ୟ କରିଛନ୍ତି। ଏଣୁ ୨୦୨୪ ସାଧାରଣ ନିର୍ବାଚନ ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହୋଇନପାରେ। ଉଲ୍ଲେଖେଯୋଗ୍ୟ,ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ୨୦୧୯ ଲୋକସଭା ନିର୍ବାଚନର ଘୋଷଣା ମାର୍ଚ୍ଚ ୧୦ ରେ କରାଯାଇଥିଲା।ଏପ୍ରିଲ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ଓ ମେ’ ୨୩ରେ ଫଳାଫଳ ଘୋଷଣା ହୋଇଥିଲା।