Odisha Link
Bridging the Missing Links in Odisha

ପୁଣି ଓଡ଼ିଶାକୁ ଗର୍ବିତ କଲା ଗଞ୍ଜାମ; ଚିକିଟି ହାତେଇଲା ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର

ଓଏଲ୍‌ ବ୍ୟୁରୋ: ପୁଣି ଓଡ଼ିଶାକୁ ଗର୍ବିତ କଲା ଗଂଜାମ। ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ପାଇଲା ଗଞ୍ଜାମର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ। ଲକ୍ଷେ ଜନସଂଖ୍ୟାରୁ କମ୍ ଶ୍ରେଣୀ ସହର ଭିତରେ ସ୍ବଚ୍ଛତାରେ ଚିକିଟି ପ୍ରଥମ ସ୍ଥାନ ଅଧିକାର କରିଛି। ଦେଶର ୪୬ ସହରକୁ ପଛରେ ପକାଇ ଚିକିଟି ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ସେହିଭଳି ଦେଶର ପୂର୍ବାଞ୍ଚଳର ୧୫ ହଜାର ଲୋକ ସଂଖ୍ୟାରୁ କମ୍ ଶ୍ରେଣୀରେ ଚିକିଟି ପ୍ରଥମ ସ୍ଥାନ ଅଧିକାର କରିଛି। ଆବର୍ଜନା ମୁକ୍ତ ଅଞ୍ଚଳ ଭାବେ ଚିକିଟି ଏନଏସିକୁ ଥ୍ରୀ ଷ୍ଟାର ରାଙ୍କ ମିଳିଛି।

ସୂଚନା ଅନୁସାରେ, ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଦେଶରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସର୍ବଶ୍ରେଷ୍ଠ ସ୍ଥାନ ପାଇଥିଲା। ୨୦୨୨ ଜାତୀୟ ଜଳ ପୁରସ୍କାର ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଦେଶର ପ୍ରଥମ ସ୍ଥାନରେ ସ୍ଥାନ ପାଇଛି। ପୂର୍ବରୁ ଓଡ଼ିଶା ପାଇଁ ଗୌରବ ଆଣିଥିଲା ଗଞ୍ଜାମ। ଗଞ୍ଜାମକୁ ଜାତୀୟ ପଞ୍ଚାୟତ ପୁରସ୍କାର ମାନ୍ୟତା ମିଳିଥିଲା।

ରାଷ୍ଟ୍ରପତିଙ୍କ ଠାରୁ ଦିଲ୍ଲୀ ବିଜ୍ଞାନ ଭବନରେ ପୁରସ୍କାର ଗ୍ରହଣ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଓ ଟିମ୍। ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ରେ ଗଞ୍ଜାମ ଜିଲା ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଗଞ୍ଜାମ ଜିଲାକୁ ମିଳିଥିଲା ୬ଟି ପୁରସ୍କାର। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଦିଆଯାଉଥିବା ପୁରସ୍କାରରେ ଗଞ୍ଜାମକୁ ମିଳିଥିଲା ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର।

ଦେଶର ମୋଟ ୬ ହଜାର ୬୧୨ଟି ବ୍ଲକ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଗଂଜାମ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର ହାସଲ କରିଥିଲା। ସୁସ୍ଥ ପଞ୍ଚାୟତ, ସାମାଜିକ ସୁରକ୍ଷିତ ପଞ୍ଚାୟତ, ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ବିଭାଗରେ ମଧ୍ୟ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇଥିଲା।

Leave A Reply

Your email address will not be published.