Odisha Link
Bridging the Missing Links in Odisha

ଭବ୍ୟ ରାମ ମନ୍ଦିର: ୮୪ ସେକେଣ୍ଡରେ ପୂରଣ ହେଲା ୫ଶହ ବର୍ଷର ଅପେକ୍ଷା

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ ହେଲେ ରାମଲାଲା। ୫୦୦ ବର୍ଷର ଅପେକ୍ଷା ମାତ୍ର ୮୪ ସେକେଣ୍ଡରେ ଆଜି ଶେଷ ହୋଇଛି। ଭାବ, ଶ୍ରଦ୍ଧା ଓ ଆସ୍ଥାର ମହାପର୍ବରେ ଝୁମୁଛି ଭାରତ ସମେତ ସାରା ବିଶ୍ବ। ଏଥିସହିତ ୧୫୨୮ ମସିହାରୁ ଲାଗି ରହିଥିବା ରାମଜନ୍ମଭୂମି ସଂଘର୍ଷର ସୁଖଦ ଅନ୍ତ ଘଟିଛି। ଦିନେ ଯେଉଁଠି ବାବରି ଢାଞ୍ଚା ଥିଲା,ଏବେ ସେଇଠି ରାମ ମନ୍ଦିର ନିର୍ମାଣ ହୋଇଛି। ଯାହା ଏବେ ସାରା ବିଶ୍ବର ଆସ୍ଥାର କେନ୍ଦ୍ର ବନିଛି।

କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି। ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ଅରମ୍ଭ ହୋଇଥିଲା। ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ।

ଦେଶ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେମାନେ ସମସ୍ତେ ରାମଲଲାଙ୍କ ଆଗରେ ନତମସ୍ତକ ହୋଇଛନ୍ତି। ଏହା ସହିତ ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଥିଲା।

ପ୍ରାଣ ପ୍ରତିଷ୍ଠା ସମାରୋହରେ ସେନା ହେଲିକପ୍ଟରଗୁଡିକ ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଫୁଲ ବର୍ଷା କରିଥିଲେ। ଅଯୋଧ୍ୟା ମନ୍ଦିରରେ ରାମ ଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଦିବ୍ୟ ସମାରୋହରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ।

Leave A Reply

Your email address will not be published.