Odisha Link
Bridging the Missing Links in Odisha

ଆଜି ଦେଶ ପାଳୁଛି ଭାରତମାତାର ଦୁଇ ବୀର ସୁପୁତ୍ରଙ୍କର ଜନ୍ମ ଜୟନ୍ତୀ

ଓଏଲ୍‌ ବ୍ୟୁରୋ: ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ। ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ବିଶେଷ ଆୟୋଜନ କରାଯାଇଛି । ସଜେଇ ହୋଇଛି ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ। ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତି ଚାରଣ କରାଯାଉଛି।

ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ। କଟକ ସହରରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମ ଗ୍ରହଣ କରିଥିଲାବେଳେ ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥଲେ ସୁରେନ୍ଦ୍ର ସାଏ। ଏହି ଦୁଇ ମହାପୁରୁଷ ଆଜିବି ପ୍ରତିଟି ଭାରତୀୟଙ୍କ ପ୍ରାଣରେ ଜୀବୀତ ରହିଛନ୍ତି। ‘ତୁମେ ମତେ ରକ୍ତ ଦିଅ, ମୁଁ ତମକୁ ସ୍ବାଧୀନତା ଦେବି’ ଏଭଳି ଆହ୍ବାନ ଆଜି ବି ଯୁବପିଢ଼ି ମନରେ ଉଦ୍ଦାମତା ଭରିଦିଏ। ଦେଶର ସ୍ବାଧୀନତା ପାଇଁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଯୋଗଦାନ ଅତୁଳନୀୟ।

ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ପରେ ବ୍ରିଟିଶ୍‌ ଶାସକଙ୍କ ଅତ୍ୟାଚାର ଦେଖି ସରକାରୀ ଚାକିରି ଛାଡ଼ିଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମୟାଙ୍କୁ ହରାଇ ନେତାଜୀ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଭାରତର ସ୍ବାଧୀନତା ପାଇଁ ୧୯୪୧ ଜାନୁୟାରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ୍‌ ରୁଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ। ବର୍ଲିନ୍‌ରୁ ଆଜାଦହିନ୍ଦ୍ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ। ସୁଭାଷ ସିଙ୍ଗାପୁରରେ ଆଜାଦହିନ୍ଦ୍ ଫୌଜର ଦାୟିତ୍ବ ଗ୍ରହଣ କଲେ। ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ ଦିନ ସେଠାରେ ସେ ଏକ ଅସ୍ଥାୟୀ ସ୍ବାଧୀନ ସରକାର ଗଠନ କଲେ। ସେହିଦିନଠାରୁ ସେ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦେଇଥିଲେ। ୧୮ ଅଗଷ୍ଟ, ୧୯୪୫ରେ ନେତାଜୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ହେଲେ ଆଜି ବି ତାଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି।

Leave A Reply

Your email address will not be published.