Odisha Link
Bridging the Missing Links in Odisha

ଦିନକ ପରେ ଇତିହାସ ରଚିବ ଓଡ଼ିଶା; ଆରମ୍ଭ ହେବ ଓଡ଼ିଆ ଭାଷା ମହାକୁମ୍ଭ

ଓଏଲ୍‌ ବ୍ୟୁରୋ: ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବାକୁ ବଡ଼ ପଦ‌କ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ଆସନ୍ତାକାଲିଠୁ ଅର୍ଥାତ ଫେବ୍ରୁଆରୀ ୩ରୁ ୫ ତାରିଖ ତିନି ଦିନ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’। ଦିନ ୧୧ଟା ୩୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଏହି ସମ୍ମଳିଳନୀକୁ ସବୁ ଦିନ ପାଇଁ ଓଡ଼ିଆଙ୍କ ସ୍ମୃତିପଟରେ ଉଜ୍ଜୀବିତ କରିବାକୁ ସରକାର ଏକ ନିଆରା ପ‌ଦକ୍ଷେପ ନେଇ ନିର୍ମାଣ କରୁଛନ୍ତି ‘ଅକ୍ଷର ଭୂମି’।

ଗଜପତିନଗର କଳାମଣ୍ଡଳ ପରିସରରେ ନିର୍ମାଣ ହେଉଥିବା ଏହି ‘ଅକ୍ଷର ଭୂମି’ ପ୍ରତିଟି ଓଡ଼ିଆଙ୍କୁ ଆକର୍ଷିତ କରିବ। ୪୦ ମିଟର ଲମ୍ବ ଓ ୩୦ ମିଟର ଚଉଡ଼ାର ଏହି ପ୍ରୋଜେକ୍ଟ। ଏଥିରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ସମସ୍ତ ନର୍ମାଣ ଖ‌ଣ୍ଡୋ‌ଲାଇଟ୍‌ ପଥରେ କରାଯାଇଛି। ସ୍ଥପତି ରାଜେନ୍ଦ୍ର ଓ ଟିମ୍‌ଙ୍କ ହାତ ଛୁଆଁରେ ପଥରର କାରୁକାର୍ଯ୍ୟ ଜୀବନ୍ତ ହୋଇ ଉଠିଛି।

ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ୪ଓ ୫ ତାରିଖ ଦୁଇଦିନ ଧରି ୮ଟି ପର୍ଯ୍ୟାୟରେ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିମର୍ଶ’ ସୋଆ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ଆସନ୍ତା ୪ ତାରିଖରେ ସେଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ-୨ ସମ୍ମେଳନ କକ୍ଷରେ ଉଦ୍‌‌ଘାଟନୀ ଅଧିବେଶନ ଅନୁଷ୍ଠିତ ହେବ। କୁଳପତି ପ୍ରଦୀପ୍ତ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ରାସବିହାରୀ ବେହେରା ଉଦ୍‌‌ଘାଟନ କରିବେ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଅନଲାଇନ ମାଧ୍ୟମରେ ଯୋଡ଼ିବାକୁ ୫-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନଗୁଡ଼ିକର ଲାଇଭ ଷ୍ଟ୍ରିମିଙ୍ଗ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଲାଗି ସେ ଗୁରୁତ୍ଵାରୋପ କରିଛନ୍ତି। ଏହି ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଭିକେ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି।

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଭାଷା ହିଁ ଭବିଷ୍ୟତ’। ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ୧୬ଟି ଏକାଡେମିକ୍ ଅଧିବେଶନ ରହିଛି। ଏଥିରେ ବହୁ ମାନ୍ୟଗଣ୍ୟ ଭାଷାବିତ୍‌, ବୁଦ୍ଧିଜୀବୀଙ୍କ ସମେତ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବେ।

ଏହି ସମ୍ମିଳନୀ ଓଡ଼ିଶାର ଅତୀତ ଓ ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ଉପସ୍ଥାପିତ କରିବ। ଅକ୍ଷର ଭୂମିରେ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯିବ। ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡ଼ିଆ ଭାଷାର ଜୟଗାନ କରିବ। ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେବ। ଭାଷାପ୍ରେମୀ ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଏହା ହେବ ପ୍ରମୁଖ ଆକର୍ଷଣର ସ୍ଥାନ।

Leave A Reply

Your email address will not be published.