Odisha Link
Bridging the Missing Links in Odisha

ଆଜି ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି; କିଏ ସେ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି। ଜଷ୍ଟିସ ଚକ୍ରଧାରରୀ ଶରଣ ସିଂ ଆଜି ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ସକାଳ ୧୦ଟା ସମୟରେ ଶ୍ରୀ ଶପଥ ଗ୍ରହଣ କରିବେ ବୋଲି ହାଇକୋର୍ଟ ପ୍ରୋଟୋକଲ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି। ମହାମହିମ ରାଜ୍ୟପାଳ ରଘୁବର ଦାସ ଶପଥପାଠ କରାଇବେ। ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ, ପୁଲିସ ଡ଼ିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପୂର୍ବରୁ ପାଟନା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ।

ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ଗତ ୨ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପୂର୍ବରୁ ସେ ପାଟନା ହାଇକୋର୍ଟରେ ବିଚାରପତି ଥିଲେ।ସୂଚନା ଅନୁସାରେ, ଜଷ୍ଟିସ ସିଂ ୧୯୬୩ ଜାନୁଆରି ୨୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟ (କ୍ୟାମ୍ପସ ଲ ସେଣ୍ଟର)ରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ୧୯୯୦ ଅକ୍ଟୋବର ୩୦ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା।

ଆଇନଜୀବୀ ପେସାର ପ୍ରାରମ୍ଭିକ ପଯ୍ୟାୟରେ ସେ ପାଟନା ହାଇକୋର୍ଟର କାଉନସେଲ ଭାବେ ପ୍ୟାନେଲରେ ସ୍ଥାନ ପାଇଥିଲେ। ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ମାମଲା ପରିଚାଳନା ପାଇଁ ଭାରତର ସିଏଜିଙ୍କ ତରଫରୁ ତାଙ୍କୁ ପ୍ୟାନେଲ କାଉନସେଲ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ମେଡିଏଟରର ଭାବେ ୨୦୦୬ରେ ତାଲିମ ଗ୍ରହଣ କରିଥିଲେ ଓ ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ନିଯୁକ୍ତି ପାଇଥିଲେ।

୨୦୧୦ ସେପ୍ଟେମ୍ବର ୧୮ରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା। ୨୦୧୦ ଡିସେମ୍ବରରେ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦବିରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୨ ଏପ୍ରିଲ ୫ରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ୨୦୨୩ ଫେବ୍ରୁଆରି ୬ରେ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ମିଳିଥିଲା। ବର୍ତ୍ତମାନ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ବୋଲି ସୁପାରିଶ କରାଯାଇଛି।

Leave A Reply

Your email address will not be published.