Odisha Link
Bridging the Missing Links in Odisha

ଆଜି ବିଶ୍ୱ ରେଡିଓ ଦିବସ; ଏଥର ଥିମ୍ ରହିଛି “ରେଡିଓ: ସୂଚନା, ମନୋରଞ୍ଜନ ଏବଂ ଶିକ୍ଷାର ଏକ ଶତାବ୍ଦୀ”

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ୱ ରେଡିଓ ଦିବସ। ରେଡିଓର ଗୁଣବତ୍ତା ଓ ଲୋକପ୍ରିୟତାକୁ ଦେଖି ଫେବ୍ରୁଆରୀ ୧୩ରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ। ଟିଭି ପୂର୍ବରୁ ରେଡିଓ ହିଁ ସାଧାରଣଲୋକଙ୍କ ମନୋରଞ୍ଜନ ଏବଂ ସୂଚନା ପାଇବାର ସବୁଠୁ ଉତ୍ତମ ମାଧ୍ୟମ ଥିଲା। ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଇଣ୍ଟରନେଟ ଜରିଆରେ ସବୁକିଛି ଲୋକଙ୍କ ହାତପାହାନ୍ତାରେ ଥିଲେ ବି ରେଡିଓର ବିଶ୍ୱସନୀୟତା ଏବଂ ପହଞ୍ଚ ରହିଛି। ଆଜି ବି ଗ୍ରାମାଞ୍ଚଳରେ ରେଡିଓ ପ୍ରତି ଲୋକଙ୍କ ଆକର୍ଷଣ କମିନାହିଁ।

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ। ଏଥର ଏହାର ଥିମ୍ ହେଉଛି “ରେଡିଓ: ସୂଚନା, ମନୋରଞ୍ଜନ ଏବଂ ଶିକ୍ଷାର ଏକ ଶତାବ୍ଦୀ”। ଶିକ୍ଷା ଏବଂ ଆଜୀବନ ଶିକ୍ଷଣକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ରେଡିଓ ଏକ ଗୁରୁ ଦାୟିତ୍ୱ ନିର୍ବାହ କରିଆସୁଛି। ଲୋକଙ୍କୁ ନୂତନ କୌଶଳ ଶିଖାଇବା, ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସୂଚନା ପ୍ରଦାନ କରିବା ଏବଂ ପିଲାମାନଙ୍କ ପାଇଁ ଶିକ୍ଷାଗତ ବିଷୟବସ୍ତୁ ପ୍ରଦାନ କରିବା ଲାଗି ରେଡିଓ କାର୍ଯ୍ୟକ୍ରମଗୁଡ଼ିକର ପରିକଳ୍ପନା କରାଯାଇପାରିଛି। ଦୂର ନିରନ୍ତର ଶିକ୍ଷା ପାଇଁ ରେଡିଓ ଏକ ସୁଲଭ ଓ ମହତ୍ତ୍ୱପୂର୍ଣ୍ଣ ସାଧନ ଭାବରେ ସାବ୍ୟସ୍ତ ହୋଇପାରିଛି।

୨୦୧୦ ସେପ୍ଟେମ୍ବର ୨୦ରେ ପ୍ରଥମ କରି ସ୍ପାନିଶ ରେଡିଓ ଏକାଡେମୀ ରେଡିଓ ଦିବସ ପାଳନ କରିବା ପାଇଁ ୟୁନେସ୍କୋ ବୈଠକରେ ପ୍ରସ୍ତାବ ରଖିଥିଲା। ଫେବ୍ରୁଆରୀ ୧୩ରେ ରେଡିଓ ଦିବସ ପାଳନ କରିବା ନିମନ୍ତେ ୨୦୧୩ରେ ୟୁନେସ୍କୋ ମଞ୍ଜୁରି ଦେଇଥିଲା। ରେଡିଓର ମହତ୍ତ୍ୱ ପ୍ରସାର କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। କାନାଡାର ପ୍ରସିଦ୍ଧ ବୈଜ୍ଞାନିକ ରେଗିନାଲ୍ଡ ଫେସେଣ୍ଡେନ୍‌ ୧୯୦୬ ଡିସେମ୍ବର ୨୪ରେ ରେଡିଓ ପ୍ରସାରଣ ଆରମ୍ଭ କରିଥିଲେ। ଭାରତରେ ୧୯୩୬ ମସିହାରେ ରେଡିଓ ଚାଲିଥିଲା । ସ୍ମାର୍ଟ ଫୋନ୍‌ ଓ ଇଣ୍ଟରନେଟ୍‌ର ଦବଦବାରେ ରେଡିଓର ବ୍ୟବହାର କମିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କୀ ବାତ୍‌’ ପୁଣି ରେଡିଓର ଚର୍ଚ୍ଚା ବଢ଼ାଇଛି।

ରେଡିଓ ସେବା ଆରମ୍ଭ କରିବାର ଆଦ୍ୟ ଦିନଗୁଡ଼ିକରେ ଯୋଗାଯୋଗ ଏବଂ ମନୋରଞ୍ଜନ ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ଥିଲା। ସମୟ ସହିତ ଏହା ଏକ ଶକ୍ତିଶାଳୀ ଗଣମାଧ୍ୟମରେ ପରିଣତ ହୋଇଛି। ରେଡିଓକୁ ବିଶ୍ୱର ସବୁଠାରୁ ସହଜ ଏବଂ ଶସ୍ତାରେ ଉପଲବ୍ଧ ଗଣମାଧ୍ୟମ ବୋଲି କୁହାଯାଏ। କାରଣ ଏହା ଦୂରଦୂରାନ୍ତରରେ ଥିବା ସ୍ଥାନ ତଥା ଗ୍ରାମାଞ୍ଚଳର ଅପହଞ୍ଚ ଇଲାକାରେ ପହଞ୍ଚିପାରେ, ଯେଉଁଠାରେ ଅନ୍ୟ ଯୋଗାଯୋଗ ଏବଂ ଗଣମାଧ୍ୟମ ଉପଲବ୍ଧ ନୁହେଁ।

ସଚେତନତା ସୃଷ୍ଟି କରିବା, ସାମାଜିକ ଏକତା, ସଂହତି ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ବହୁମୁଖୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହା ଏକ ଆଦର୍ଶ ସାଧନ। ବିପର୍ଯ୍ୟୟ ଓ ସଙ୍କଟ ସମୟରେ ରେଡିଓ ଜୀବନ ରକ୍ଷାକାରୀ ସୂଚନା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ପାରିଛି। ରେଡିଓ ଏଭଳି ଏକ ମାଧ୍ୟମ, ଯାହା ମଣିଷଙ୍କୁ ସାନ୍ତ୍ୱନା ଦେଇପାରେ ଏବଂ ଲୋକଙ୍କ ଦୁର୍ଦ୍ଦିନରେ ସେମାନଙ୍କ ଭାବନା ଅନୁକୂଳ ମନୋବଳ ଯୋଗାଇବା ସହ ସମବେଦନା ବି ଜ୍ଞାପନ କରିପାରେ।

Leave A Reply

Your email address will not be published.